ବେଆଇନ୍ ବିସ୍ଫୋରକ ସାମଗ୍ରୀ ରଖିଥିବା ଅଭିଯୋଗରେ ଖଡିଆଳ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ଵର : ନୂଆପଡ଼ା ପୋଲିସ ସୋମବାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତୁକଲା ଗ୍ରାମରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରିଛି । ଏହି ଘଟଣାରେ ପୁଲିସ ଖଡିଆଳ ବ୍ଲକ ଅଧ୍ୟକ୍ଷା ନିଳାନ୍ଦ୍ରୀ ମେହେରଙ୍କ ସ୍ବାମୀ ପ୍ରେମ ସାଗର ମେହେରଙ୍କୁ ଗିରଫ କରିଛି। ସେ ବିପୁଳ ପରିମାଣରେ ବେଆଇନ ବିସ୍ଫୋରକ ସାମଗ୍ରୀ ରଖିଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଖଡିଆଳ ଥାନାରେ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ନୂଆପଡା ଆରକ୍ଷୀ ଅଧିକ୍ଷକ ରାହୁଲ କୁମାର ଜୈନ । ସେ କହିଛନ୍ତି, ତୁକୁଲା ଗ୍ରାମର ପ୍ରେମ୍ ସାଗର( ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ)ଙ୍କ ପାଖରେ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଥିବା ନେଇ ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ସୂଚନା ପାଇବା ପରେ ଏସ୍‌ଡିପିଓଙ୍କ ନେତୃତ୍ବରେ ଖଡ଼ିଆଳ ପୁଲିସର ଏକ ସ୍ଵତନ୍ତ୍ର ଟିମ୍ ରେଡ୍ କରିଥିଲେ। ଘଟଣା ସ୍ଥଳରୁ ବିପୁଳ ପରିମାଣର ବେଆଇନ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।

ଜବତ ସାମଗ୍ରୀ ମଧ୍ୟରେ ୧୫ କାର୍ଟୁନ ସମୁଦାୟ ୨୯୨୫ ଜେଲେଟିନ ଷ୍ଟିକ,୨୯ ଗୋଟି ସିଲ ପ୍ଲାଟିକ ବସ୍ତା ଏମୋନିୟମ ନାଇଟ୍ରେଟ ୫୦ କେଜି, ଗୋଟିଏ କାର୍ତିନ ସିଲ ୩୪ ବାଣ୍ଡଳ ହାରାହାରି ୮୪୪ ଗୋଟି ଡିଟୋନେଟର, ନଗଦ ୩୨ ହଜାର ୯୦୦ ଟଙ୍କା, ଦୁଇ ଗୋଟି ଟ୍ରାକ୍ଟଟର ଦୁଇ ଗୋଟି କମ୍ପ୍ରେସର ଟ୍ରାକ୍ଟର, ୪ ଗୋଟି ଲୁହା ଶାବଳ ଓ ଗୋଟିଏ ମୋବାଇଲ ରହିଛି। ଏହି ଘଟଣାରେ କେସ୍ ନଂ ୧୨୭/୨୧ ରେ ଏକ ମାମଲା ରୁଜୁ କରି କରି ପୁଲିସ ପ୍ରେମ୍ ସାଗରଙ୍କୁ କୋର୍ଟ ଚାଲାଣ କରିଛି। ବ୍ଲକ୍ ଅଧ୍ୟକ୍ଷଙ୍କ ସ୍ବାମୀଙ୍କ ପାଖରୁ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହେବା ପରେ ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ତେବେ ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ସେ କେଉଁଠାରୁ ଆଣିଲେ ଏବେ ତାକୁ ପୁଲିସ ଖୋଳତାଡ଼ ଆରମ୍ଭ କରିଛି।

Related Posts