ଏଣିକି ଚୀନୀଙ୍କ ରଣନୀତି ଜାଣିବା ପାଇଁ ଚୀନ ଭାଷା ଶିଖିବେ ଭାରତୀୟ ସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ଚୀନୀଙ୍କ ରଣନୀତି ଜାଣିବା ପାଇଁ ସେନା ଶିଖିବେ ଚୀନ ଭାଷା ମନ୍ଦାରିନ । ଏମିତି ହେଲେ ଚୀନ ସୈନିକଙ୍କ ରଣନୀତି ବିଷୟରେ ଜାଣିବା ସେନାକୁ ସହଜ ହେବ। ଚୀନ ବିଷୟରେ ସୈନିକଙ୍କୁ ସୂଚନା ଦିଆଯିବ ଯଦ୍ଵାରା କାମ କରିବାର ଶୈଳୀ ଆହୁରି ସହଜ ହେବ। ସଂପ୍ରତି ସୂଚନାକୁ ଏକ ଗୁରୁତ୍ଵପୂର୍ଣ୍ଣ ହତିଆର କୁହାଯାଉଛି। ତେଣୁ ଭାରତୀୟ ସେନା ମନ୍ଦାରିନ ଭାଷା ଶିଖିବା ଉପରେ ଗୁରୁତ୍ଵ ଦେଇଛନ୍ତି। ପ୍ରାୟ ଦୁଇ ବର୍ଷ ପୂର୍ବେ ଲଦାଖରେ ଭାରତ ଏବଂ ଚୀନ ସୈନିକ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ଏଥିରେ ୨୦ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଚୀନର ୪୦ରୁ ଉର୍ଦ୍ଧ୍ଵ ସୈନିକ ନିହତ ହୋଇଥିଲେ। ନିକଟରେ ସେନା ପ୍ରମୁଖ ଏମ ଏମ ନରଓ୍ଵଣେଙ୍କ ସମ୍ମୁଖରେ ଏକ ତଥ୍ୟ ରଖାଯାଇଥିଲା। ଏଥିରେ ମନ୍ଦାରିନ ଶିଖିବା ଉପରେ ଜୋର ଦିଆଯାଇଥିଲା।

ଏହାରି ଆଧାରେ ସୈନିକଙ୍କ ମନ୍ଦାରିନର ପ୍ରଶିକ୍ଷଣ ଦିଆଯିବ। ଏହା ବ୍ୟତୀତ ବିଶ୍ଵ ବିଦ୍ୟାଳୟ ଏବଂ ଅନ୍ୟ ସଂସ୍ଥାନରେ ମଧ୍ୟ ମନ୍ଦାରିନରେ ପାଠ ପଢାଯିବ। ଯଦ୍ଵାରା ଚୀନର ଭାଷାକୁ ବୁଝୁଥିବା ଲୋକ ପ୍ରସ୍ତୁତ ହୋଇ ପାରିବେ। ଚୀନ ପକ୍ଷରୁ ଅଦ୍ୟାବଧି ପୂର୍ବ ଲଦାଖରେ ସୈନିକଙ୍କ ସଂଖ୍ୟା ହ୍ରାସ କରାଯିବାର ସଙ୍କେତ ମିଳିନାହିଁ। ଏହି ପ୍ରସଙ୍ଗରେ ନିକଟରେ ଭାରତ ଗସ୍ତ କରିଥିବା ଚୀନ ବୈଦେଶିକ ମନ୍ତ୍ରୀ ଓ୍ଵାଙ୍ଗ ଓ୍ଵିଙ୍କୁ ମଧ୍ୟ କଡା ସନ୍ଦେଶ ଦିଆଯାଇଥିଲା। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଥିଲେ, ଯେ ପର‌୍ୟ୍ୟନ୍ତ ସୀମାରେ ସୈନିକଙ୍କ ମଧ୍ୟରେ ଉତ୍ତେଜନା କମି ନାହିଁ, ସେ ପର‌୍ୟ୍ୟନ୍ତ ଦୁଇ ଦେଶ ମଧ୍ୟରେ ସଂପର୍କ ସ୍ଵାଭାବିକ ହୋଇ ପାରିବ ନାହିଁ। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts