ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୫ ରାଜ୍ୟକୁ ହିଟୱେଭ ସତର୍କ ସୂଚନା

ନୂଆଦିଲ୍ଲୀ: ଅସହ୍ୟ ଗରମରେ କଲବଲ ଦେଶ ଓ ରାଜ୍ୟ । ଦିନକୁ ଦିନ ଦେଶର ବିଭିନ୍ନ ପ୍ରାନ୍ତରେ ଟାଣ ଖରା ହେଉଛି । ଫଳରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି ଜନଜୀବନ । ଓଡ଼ିଶା ଠାରୁ ଆରମ୍ଭ କରି ଉତ୍ତର ଓ କେନ୍ଦ୍ର ଭାରତର ଅଧିକାଂଶ ସ୍ଥାନରେ ପାରଦ ଏବେ ପ୍ରାୟ ୪୫ ଡିଗ୍ରୀ ଡେଇଁଲାଣି। ଆଗକୁ ତାପମାତ୍ରା ଆହୁରି ବଢ଼ିବାର ଆଶଙ୍କା ରହିଛି।

ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶା ସମେତ ୫ ରାଜ୍ୟ ପାଇଁ ହିଟୱେଭ ସତର୍କ ସୂଚନା ଜାରି କରାଯାଇଛି। ଏହାର ଅର୍ଥ ପ୍ରଚଣ୍ଡ ରୌଦ୍ରତାପ ଦେଖିବାକୁ ମିଳିବ। ହିଟୱେଭ ୱାର୍ଣ୍ଣିଂ ଜାରି ହୋଇଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ କିମ୍ବା ତା’ ଠାରୁ ଅଧିକ ରହିବ।

ଆଇଏମଡିର ଆକଳନ ଅନୁଯାୟୀ, ଆସନ୍ତା ୩ ଦିନ ଯାଏ ଉତ୍ତରପଶ୍ଚିମ ରାଜ୍ୟଗୁଡ଼ିକରେ ଦିନର ସର୍ବୋଚ୍ଚ ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବାର ଆଶଙ୍କା ରହିଛି। ଏହାପରେ ୨ ଡିଗ୍ରୀ ସେଲସିୟସ କମିବ। କିନ୍ତୁ ଗ୍ରୀଷ୍ମ ପ୍ରବାହରୁ ନିସ୍ତାର ମିଳିବା ସମ୍ଭାବନା ବହୁତ କମ।

ଆଇଏମଡି ବୈଜ୍ଞାନିକ ଆରକେ ଜେନାମଣି କହିଛନ୍ତି ଯେ ରାଜସ୍ଥାନ, ଦିଲ୍ଲୀ, ଓଡ଼ିଶା, ହରିଆଣା ଓ ୟୁପି ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୫ ରାଜ୍ୟର କିଛି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ପାର କରିସାରିଲାଣି। ଏପରି ପ୍ରଚଣ୍ଡ ଖରା ମେ’ ପ୍ରଥମ ସପ୍ତାହମ ଯାଏ ଜାରି ରହିବ। ଏହାପରେ ବର୍ଷା ହେବାର ସମ୍ଭାବନା ରହିଛି। ଏପରି ହେଲେ ଦିନର ତାପାମାତ୍ରା ହ୍ରାସ ପାଇବ ବୋଲି ସେ କହିଛନ୍ତି।

ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି କେନ୍ଦ୍ରୀୟ ଭାରତରେ ମଧ୍ୟ ପାରଦ ଉପରା ମୁହାଁ ହୋଇଛି। ଏଠାରେ ଥିବା ଜିଲ୍ଲାଗୁଡ଼ିକରେ ପାରଦ ୪୫% ଡିଗ୍ରୀ ପାର କରିଛି। ଦିଲ୍ଲୀରେ ବି ଆଜି ସକାଳ ସମୟରୁ ଖରା ବଢ଼ିବାରେ ଲାଗିଛି। ଆଜି ଦିଲ୍ଲୀରେ ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ପାର କରିବାର ଆଶଙ୍କା ଥିବା ପାଣିପାଗ ବିଭାଗ କହିଛି। ସେହିପରି ଶୁକ୍ରବାର ଏଠାରେ ତାପମାତ୍ରା ୪୪ ଡିଗ୍ରୀ ଡେଇଁ ପାରେ।

ଗୋଟିଏ ପଟେ ଖରା ବଢ଼ୁଥିବାରୁ ବିଜୁଳି ବ୍ୟବହାରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ବିଜୁଳି ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଗୁଜରାଟ ଓ ଆନ୍ଧ୍ର ପ୍ରଦେଶ ପରେ ରାଜସ୍ଥାନରେ ମଧ୍ୟ ୪ ଘଣ୍ଟା ପାୱାର କଟ୍‌ ଘୋଷଣା କରାଯାଇଛି। ଗ୍ରାମାଞ୍ଚଳ ଓ ଶିଳ୍ପାନୁଷ୍ଠାନରେ ଦୈନିକ ୪ ଘଣ୍ଟା ବିଜୁଳି କାଟ କରାଯିବ ।

Related Posts