ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଶ୍ୱ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହରୁ ଦୀର୍ଘ ୧୨୦ ବର୍ଷ ପରେ ଭର୍ତ୍ତି ହୋଇଥିବା ବାଲିକୁ ବାହାର କରାଯିବ। ଏଥିପାଇଁ ନିକଟରେ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗ(ଏଏସ୍‌ଆଇ)ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ପ୍ରାଥମିକ ପର୍ଯ୍ୟାୟରେ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ ଏହାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି(କୋର୍ଟ ମିତ୍ର) ଆଇନଜୀବୀ ନଗେନ୍ଦ୍ର କୁମାର ମହାନ୍ତି ଶୁକ୍ରବାର ଅପରାହ୍ନରେ ସୂର୍ଯ୍ୟମନ୍ଦିର ଉପଦେଷ୍ଟା ବିଶେଷଜ୍ଞ କମିଟିର ସଦସ୍ୟ ଡ.ନାରାୟଣ ଚନ୍ଦ୍ର ପାଲଙ୍କ ସହ କୋଣାର୍କ ମନ୍ଦିର ଆସି କାର୍ଯ୍ୟ ପରଖିଛନ୍ତି।

କାର୍ଯ୍ୟ ଦେଖିବା ପରେ ଆମିକସ୍‌କ୍ୟୁରି ଶ୍ରୀ ମହାନ୍ତି କହିଛନ୍ତି, ଏବେ ଏଏସ୍‌ଆଇ ବାଲି ନିଷ୍କାସନ ପାଇଁ ପ୍ଲାଟଫର୍ମ ପ୍ରସ୍ତୁତି ଚଳାଇଛି। ବର୍ଷକ ପରେ ବାଲି ନିଷ୍କାସନ ପ୍ରକ୍ରିୟା ସମ୍ପର୍କିତ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହେବ। ସୂର୍ଯ୍ୟମନ୍ଦିର ସଂରକ୍ଷଣ ସମସ୍ୟାକୁ ନେଇ ୨୦୨୦ ଫେବୃୟାରୀ ୨୮ ଓ ୨୯ ରେ ହୋଇଥିବା ଜାତୀୟ ସେମିନାରରେ ନିଆଯାଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ ନ କରି ଅଢେଇ ବର୍ଷ ଧରି ଏଏସ୍‌ଆଇ ନୀରବତା ଅବଲମ୍ବନ କରିଥିଲା। ଏବେ ବାଲି ନିଷ୍କାସନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବାଲି ନିଷ୍କାସନ ଦ୍ୱାରା ଗର୍ଭଗୃହର କୌଣସି କ୍ଷତି ହେବ ନାହିଁ ବୋଲି ଏଏସ୍‌ଆଇ ପ୍ରତଶ୍ରୁତି ଦେଇଛି। ଆମେ ଆଶା କରିବା ଏଏସ୍‌ଆଇ ଏଥିରେ ସଫଳ ହେଉ।