ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ; ରହିତାଦେଶକୁ ମାନୁନି ଓପିଏସସି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗକୁ ଦିନକୁ ଦିନ ବିବାଦ ବଢ଼ତିବାରେ ଲାଗିଛି । ଏହା ମଧ୍ୟରେ ଅଧିନିୟମ ଉପରେ ସୁପ୍ରିମକୋର୍ଟ ତିନି ମାସ ପାଇଁ ରହିତାଦେଶ ଦେଇଥିବାବେଳେ ଏହାକୁ ଉଲ୍ଲଂଘନ କରାଯାଇଥିବାର ଅଭିଯୋଗ ହୋଇଛି । ଗତ ୨୦ ତାରିଖରେ ସର୍ବୋଚ୍ଚ ଅଦାଲତଙ୍କ ରହିତାଦେଶ ସତ୍ତ୍ୱେ ଲୋକସେବା ଆୟୋଗ ପକ୍ଷରୁ ପ୍ରଫେସର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଯେଉଁଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଓପିଏସସିକୁ ଚିଠି ଲେଖାଯାଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଲ୍ଲଂଘନ କରାଯାଇଥିବା କୁହାଯାଇଛି । ୟୁଜିବି ସଚିବ ପ୍ରଫେସର ରଜନୀଶ ଜୈନ ଲେଖିଥିବା ପୃଥକ ପୃଥକ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ମେ’ ୨୩ରେ ଓପିଏସସି ପକ୍ଷରୁ ସାମାଜିକ ବିଜ୍ଞାନର ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିର ଫଳ ପ୍ରକାଶ ପାଇଛି । ୨୪ ତାରିଖରେ ବାଣିଜ୍ୟ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ପଦବି ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ଲାଗି ବିଜ୍ଞପ୍ତି ଜାରି ହୋଇଛି । ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ନେଇ ସୁପ୍ରିମକୋର୍ଟରେ ଏସଏଲପି ବିଚାରଧୀନ ରହିଛି ।

ତେଣୁ ଓପିଏଏସସି ଦ୍ୱାରା ଶିକ୍ଷକ ନିଯୁକ୍ତି ଏବଂ ରାଜ୍ୟ ଜୟନ ବୋର୍ଡର ଅଣ ଶିକ୍ଷକଙ୍କ ନିଯୁକ୍ତିର ବିଜ୍ଞପ୍ତି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରୁଛି । ଉଭୟ ରାଜ୍ୟ ସରକାର ଓ ଓପିଏସସି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହ ଏହି ନିଯୁକ୍ତି ପ୍ରକ୍ରିୟାରୁ ଦୂରେଇ ରୁହନ୍ତୁ । ନହେଲେ ଆବଶ୍ୟକ ପଡ଼ିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ୟୁଜିସି ପତ୍ରରେ ତାଗିଦ କରାଯାଇଛି । ଅନ୍ୟପଟେ ଗତ ଡିସେମ୍ବର ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ ଅଧିନ ସରକାରୀ ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ୬୨% ପ୍ରଫେସର ପଦବି ଖାଲି ରହିଥିଲା । ୧୧ଟି ବିଶ୍ୱବିଦ୍ୟାଳୟ ଲାଗି ମୋଟ ୧୬୬୩ ଜଣ ପ୍ରଫେସର, ଆସୋସିଏଟ ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ଅନୁମୋଦନ ହୋଇଛନ୍ତି । ସେଥିମଧ୍ୟରୁ ୧୦୩୩ ପଦ ଖାଲି ରହିଥିବା ବେଳେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ୬୦୬ଟି ପଦ ପୂରଣ ଲାଗି ନିଯୁକ୍ତି ପ୍ରକ୍ରିୟା କରିବାକୁ ଓପିଏସସିକୁ ଚିଠି ଲେଖାଯାଇଥିଲା ।

Related Posts