‘ଦ କେରଳ ଷ୍ଟୋରୀ’; ୟୁପିରେ ହେଲା ଟ୍ୟାକ୍ସ ଫ୍ରି, ପଶ୍ଚିମବଙ୍ଗରେ ବ୍ଯାନ୍

ଭୁବନେଶ୍ୱର,୯/୫(ସତ୍ୟପାଠ ବ୍ୟୁରୋ): ଟିଜର ଆସିବା ଦିନଠୁ ଚର୍ଚ୍ଚାକୁ ଆସିଥିବା ବିବାଦୀୟ ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ପ୍ରଥମେ ମଧ୍ୟପ୍ରଦେଶ ଓ ଏବେ ଉତ୍ତରପ୍ରଦେଶରେ ମଧ୍ୟ ଟିକସମୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମକୁ ଟିକସମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କେବଳ ଏତିକି ନୁହେଁ ନିଜେ ଯୋଗୀ ଆଦିତ୍ୟନାଥ ଏହି ଫିଲ୍ମ ନିଜ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଦେଖିବେ ବୋଲି ସୂଚନା ମିଳିଛି।

ଏହାପୂର୍ବରୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ୱାନ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିଥିଲେ । ସେତେବେଳେ ଶିବରାଜ କହିଥିଲେ, ଏହି ଫିଲ୍ମ ଆତଙ୍କବାଦୀଙ୍କ ଭୟାବହ ସତକୁ ଉଜାଗର କରୁଥିବା ଫିଲ୍ମ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଏହି ଫିଲ୍ମକୁ ବିହାରରେ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଛନ୍ତି । ଉତ୍ତରପ୍ରଦେଶ ଭଳି ବିହାରରେ ଏହି ଫିଲ୍ମକୁ ଟିକସ ମୁକ୍ତ କରିବା ଆବଶ୍ୟକ ବୋଲି କହିଛନ୍ତି ଗିରିରାଜ ।

ଗୋଟିଏ ପଟେ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିବା ବେଳେ ପଶ୍ଚିମବଙ୍ଗରେ ଫିଲ୍ମକୁ ସମ୍ପୂର୍ଣ୍ଣ ରୂପେ ବ୍ୟାନ୍ କରାଯାଇଛି । ପଶ୍ଚିମବଙ୍ଗର ସମସ୍ତ ସିନେମା ହଲରୁ ଏହି ଫିଲ୍ମ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ପଶ୍ଚିମବଙ୍ଗରେ ଶାନ୍ତି ବଜାୟ ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । କେବଳ ଏତିକି ନୁହେଁ ବିଜେପି ଉପରେ ବଡ ଅଭିଯୋଗ ମଧ୍ୟ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ମିଛ କାହାଣୀକୁ ନେଇ ବଙ୍ଗାଳ ଫାଇଲ୍ସ ଫିଲ୍ମ ନିର୍ମାଣ କରିବାକୁ ଫିଲ୍ମନିର୍ମାଣକାରୀଙ୍କୁ ଟଙ୍କା ଦେଉଛନ୍ତି ବୋଲି ମମତା କହିଛନ୍ତି ।

ମମତା କହିଛନ୍ତି, ଏହି ଫିଲ୍ମ ଜରିଆରେ କେରଳ ଲୋକଙ୍କ ସମ୍ମାନ କ୍ଷୂର୍ଣ୍ଣ କରାଯାଉଛି । ବିଜେପି ଏଭଳି ସାମ୍ପ୍ରଦାୟିକ ଭେଦଭାବ କାହିଁକି ସୃଷ୍ଟି କରୁଛି । ଏସବୁ କରିବା କଣ ଗୋଟେ ରାଜନୈତିକ ଦଳର କାମ । ଏମାନଙ୍କୁ ଏଭଳି କାମ କରିବାକୁ ହକ୍ କିଏ ଦେଇଛି? ବୋଲି ମମତା ପ୍ରଶ୍ନ କରିଛନ୍ତି

ସେହିଭଳି ଏହି ଫିଲ୍ମକୁ ତାମିଲନାଡୁରେ ମଧ୍ୟ ବୟକଟ କରାଯାଇଛି । ତାମିଲନାଡୁ ମଲ୍ଟିପ୍ଲେକ୍ସ ଆସୋସିଏସନ ଏହି ଫିଲ୍ମ ଉପରେ ରୋକ ଲଗାଇଛି । କାରଣ ଏହି ଫିଲ୍ମ ଦ୍ୱାରା ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଅନ୍ୟପଟେ ଏହି ଫିଲ୍ମ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟରେ ମଧ୍ୟ ଏକ ପିଟିସନ ଦାୟର କରାଯାଇଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିବା ପାଇଁ ମନା କରିଥିଲେ । ଏହି ମାମଲାକୁ ନେଇ ହାଇକୋର୍ଟ ଯିବାକୁ ଆବେଦନକାରୀଙ୍କୁ କହିଥିଲେ ସୁପ୍ରିମକୋର୍ଟ ।

Related Posts