ତିନି ରଥରେ ଦିଆଯାଉଛି ଶେଷ ସ୍ପର୍ଶ; ତିନି ରଥରେ ଲାଗିଲା କଳସ ଓ ଓଲଟ ଶୁଆ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତିନି ରଥରେ ଦିଆଯାଉଛି ଶେଷ ସ୍ପର୍ଶ । ସେପଟେ ତିନି ରଥରେ ୩ଟି କଳସ ଓ ୬ଟି ଓଲଟ ଶୁଆ ସ୍ଥାପନ କରାଯାଇଛି । ରଥରେ କନକମୁଣ୍ଡି କାର‌୍ୟ୍ୟ ଓ ରଥଖଳାରେ ରୂପକାରଙ୍କ ପ୍ରଭା କାର‌୍ୟ୍ୟ ଅନ୍ତିମ ପର‌୍ୟ୍ୟାୟରେ । ରଥରେ ହଂସପଟା ଲଗାଯାଇଛି । କାର‌୍ୟ୍ୟ ସରିବାରେ ରବିବାର ସମ୍ପୂର୍ଣ୍ଣ ଭାବେ ରଥ ଚାଳି ଭଙ୍ଗାଯାଇଛି । ରଥଯାତ୍ରାକୁ ଆଉ ମାତ୍ର ୪ ଦିନ । ଏଣୁ ରଥ ନିର୍ମାଣ କାମ ସରିବା ଉପରେ । ଚିତ୍ରକର, ରୂପକାର ଓ ଦର୍ଜୀଙ୍କ କାର‌୍ୟ୍ୟ ଜୋରଦାର ଚାଲିଛି । ରଥଖଳାରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ହୋଇ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ରୂପକାରମାନେ କାମ କରୁଛନ୍ତି । ରଥ ଖଳାରେ ଘୋଡ଼ାରେ ରଙ୍ଗ ଦେବାକୁ ପ୍ରସ୍ତୁତି ଚାଲିଛି । ଶ୍ରୀମନ୍ଦିର ନୂତନ କାର‌୍ୟ୍ୟାଳୟ ତଳମହଲାରେ ଚିତ୍ରକର କାର‌୍ୟ୍ୟବ୍ୟସ୍ତ ରହିଛନ୍ତି । ରୂପକାରମାନେ ପ୍ରଭାରେ ଖୋଦେଇ କାର‌୍ୟ୍ୟ ଶେଷ କରିଛନ୍ତି । ପାଶ୍ୱର୍ଦେବଦେବୀ, ସଖୀ, ଶିଖରଡମ୍ବରୁ ଚିତ୍ର ସରିବା ଉପରେ ।

ରଥର ତିନି ସାରଥିଙ୍କ ରଙ୍ଗ କାମ ଶେଷ ହେଉଛି । ତିନି ରଥରେ ଶିଖରଡମ୍ୱରୁ ଲଗାଯିବା ପରେ ୨୭ ପାଶ୍ୱର୍ଦେବଦେବୀଙ୍କୁ ସ୍ଥାପନ କରାଯିବ । ରଥମାନଙ୍କରେ ଧ୍ୱଜବତା ଓ କଣଫାଉଡ଼ା ଲଗାଯାଇଛି । କଣଫାଉଡ଼ାରେ ମଣ୍ଡଣି ବତା ଲଗାଯାଇଛି । ଏହାଦ୍ୱାରା ରଥ ହୃଷ୍ଟପୁଷ୍ଟ ଓ ସୁନ୍ଦର ହେବ । ଏଣିକି ତିନି ରଥରେ କନାମଣ୍ଡଣି ହେବ । ଶ୍ରୀମନ୍ଦିର କାର‌୍ୟ୍ୟାଳୟରେ ଦର୍ଜୀ ସେବକ କନା ସିଲାଇରେ ବ୍ୟସ୍ତ ରହିଛନ୍ତି । ମଣ୍ଡଣି କନାକୁ କୋଠସୁଆଁସିଆ ସେବକମାନେ ରଥରେ ଲଗାଇବେ । ରଥର ଚାରିପଟେ ଠେକରାବାଡ଼ ଲାଗିବ । ରଥକାମ ଶେଷ ପୂର୍ବରୁ ପିତ୍ତଳର ଅଳଙ୍କାରମାନ ଲଗାଯିବ । ପିତ୍ତଳର କଦଳୀଗଛ, ମଗର, ରାହୁମୁଣ୍ଡ, ହଂସ ଓ ମାଛ ଆଦି ଲାଗିବ । ରଥମାନଙ୍କର କନା ମଣ୍ଡଣି କାମ ସରିବା ପରେ ରଥ ରକ୍ଷକମାନଙ୍କୁ ସ୍ଥାପନ କରାଯିବ । ଆଜି ରଥ ଖଳାକୁ ସମ୍ପୂର୍ଣ୍ଣ ଭାବେ ଖୋଲି ଦିଆଯାଇଛି ।

Related Posts