ସ୍ବାଧୀନତା ଦିବସରେ ମେଘାଳୟରେ ବିଗିଡ଼ିଲା ଆଇନଶୃଙ୍ଖଳା ପରିସ୍ଥିତି ; ମୁଖ୍ୟମନ୍ତ୍ରୀଙ୍କ ଘରେ ପେଟ୍ରୋଲ ବୋମାରେ ହମଲା , ଶିଲଂରେ ଦୁଇ ଦିନିଆ କର୍ଫ୍ୟୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ସ୍ବାଧୀନତା ଦିବସ ଅବସରରେ ସାରା ଦେଶରେ ଅତି ଉତ୍ସାହର ମାହୋଲ ଥିବା ବେଳେ ମେଘାଳୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡିଯାଇଛି । ଫଳରେ ରାଜ୍ୟରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯିବା ସହିତ କର୍ଫ୍ୟୁ ଲଗାଇଛନ୍ତି ମେଘାଳୟ ପ୍ରଶାସନ। ରାଜ୍ୟରେ ବ୍ୟାନ୍ ହୋଇଥିବା ସନ୍ତ୍ରାସବାଦୀ ସଂଗଠନ HNLC(Hynniewtrep National Liberation Council)ର ପୂର୍ବତନ ନେତା ଚେଷ୍ଟେରଫାଇଲ୍ଡ ଥାଙ୍ଖିୟୁର ପୁଲିସ ଗୁଳିରେ ମୃତ୍ୟୁ ହେବା ପରେ ରାଜ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଏଥିପାଇଁ ୪ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଛନ୍ତି ମେଘାଳୟ ସରକାର। ବିଦ୍ରୋହୀ ମାନେ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମାଙ୍କ ବ୍ୟକ୍ତିଗତ ବାସଭବନରେ ରବିବାର ପେଟ୍ରୋଲ ବୋମା ଲଗାଇ ଆକ୍ରମଣ କରିଥିଲେ। ହିଂସା ଏବଂ ବିରୋଧ ଯୋଗୁଁ ଶିଲଂରେ ଦୁଇ ଦିନିଆ କର୍ଫ୍ୟୁ ଲାଗୁ କରାଯାଇଛି। ଭଙ୍ଗାରୁଜା ଓ ଅଗ୍ନିକାଣ୍ଡ ଖବର ପାଇବା ପରେ ରାଜ୍ୟର ଅନେକ ସ୍ଥାନରେ ମୋବାଇଲ୍ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ କରାଯାଇଛି।

ଏହାପୂର୍ବରୁ ରବିବାର ସନ୍ଧ୍ୟାରେ ସ୍ୱାଧୀନତା ଦିବସ ପାଳନ ଅବସରରେ ହିଂସାତ୍ମକ ଘଟଣା ଯୋଗୁଁ ରାଜ୍ୟର ଗୃହମନ୍ତ୍ରୀ ଲଖନ ରିମ୍ବୁଇ ଇସ୍ତଫା ଦେଇଛନ୍ତି। ହିଂସା ପରେ ଶିଲଂରେ ସମ୍ପୂର୍ଣ୍ଣ କର୍ଫ୍ୟୁ ଲାଗୁ କରାଯାଇଛି। ରାଜଧାନୀ ମେଘାଳୟ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଅଗଷ୍ଟ 17 ପର୍ଯ୍ୟନ୍ତ ଏହି କର୍ଫ୍ୟୁ ବଳବତ୍ତର ରହିବ।

ରବିବାର ଅପରାହ୍ନରେ ଶିଲଂର ଜାଓ ଅଞ୍ଚଳରେ କିଛି ଅଜ୍ଞାତ ବ୍ୟକ୍ତିମାନେ ମକ୍କିନ୍ରୋହ ପୋଲିସ ପୋଷ୍ଟର ଏକ ପୋଲିସ ଗାଡିରେ ନିଆଁ ଲଗାଇ ଦେଇଥିଲେ। ଗାଡିରେ ଥିବା ପୋଲିସ କର୍ମଚାରୀ, ଆଉଟପୋଷ୍ଟର ଦାୟିତ୍ୱରେ ଥିବା ଅଧିକାରୀ ମାନେ ଏହି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।ପୋଲିସ ଆକ୍ରମଣ ସମୟରେ ପୂର୍ବତନ ବିଦ୍ରୋହୀ ନେତା ଥାଙ୍ଖିୟୁକୁ ମୃତ୍ୟୁ ପରେ ହିଂସା ସୃଷ୍ଟି ହୋଇଥିଲା।

ଥାଙ୍ଗଖୁଙ୍କ ପରିବାର ଏହି ମୃତ୍ୟୁ ପାଇଁ ପୋଲିସକୁଦାୟୀ କରିଛନ୍ତି। ତାଙ୍କ ଅନ୍ତିମ ସଂସ୍କାରରେ କଳା ପତାକା ଦେଖାଇ ଶହ ଶହ ଲୋକ ଯୋଗ ଦେଇଥିଲେ। ଶନିବାର ଦିନ ମେଘାଳୟର ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ଯେ ବିଦ୍ରୋହୀ ଦଳର ପୂର୍ବତନ ନେତା ହିନଟ୍ରାପ ନ୍ୟାସନାଲ ଲିବରେସନ କାଉନସିଲର ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ଏକ ମାଜିଷ୍ଟ୍ରେଟ ତଦନ୍ତ ନିର୍ଦ୍ଦେଶ ଦେବେ। ସ୍ୱାଧୀନତା ଦିବସ ହୋଇଥିଲେ ମଧ୍ୟ ଅନେକ ଲୋକ ଶିଲଂ ରାସ୍ତାରେ କଳା ପତାକା ଦେଖାଇ ଥାଙ୍ଗଖୁଙ୍କ ମୃତ୍ୟୁକୁ ନେଇ ପୋଲିସ ଏବଂ ରାଜ୍ୟ ସରକାରଙ୍କୁ ନିନ୍ଦା କରିଥିଲେ। ଅନେକ ଲୋକ ପ୍ଲାକାର୍ଡ ସହିତ ନିଜ ଘରର ଛାତ ଉପରେ ଠିଆ ହୋଇ ବିରୋଧ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ​​। ସହରର କେତେକ ଅଞ୍ଚଳରୁ ପଥର ଫିଙ୍ଗିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହାପୂର୍ବରୁ ଶନିବାର ଦିନ ପୋଲିସ ପାଟ୍ରୋଲିଂ ଗାଡି ଉପରକୁ ପଥର ଫିଙ୍ଗି ଥିବା ଅଭିଯୋଗ ହୋଇଥିଲା।

ଗତ ଶୁକ୍ରବାର ମେଘାଳୟ ଶିଲଂର ଲାଇଟୁମୁଖ୍ରାହ ବଜାରରେ ଏକ ବୋମ ବିସ୍‌ଫୋରଣ କରାଯାଇଥିଲା। ଏଥିରେ HNLC ପୂର୍ବତନ ନେତା ଚେଷ୍ଟେରଫାଇଲ୍ଡ ଥାଙ୍ଖିୟୁର ହାତ ଥିବା ନେଇ ପୁଲିସକୁ ପ୍ରମାଣ ମିଳିବା ପରେ ମେଘାଳୟ ପୁଲିସ୍ ଥାଙ୍ଖିୟୁ ଘରେ ରେଡ୍ କରିଥିଲା। କିନ୍ତୁ ଏହି ସମୟରେ (ରବିବାର) ସେ ଏକ ଛୁରୀ ଧରି ପୁଲିସ ଉପରକୁ ଆଟାକ କରିବାରୁ ପ୍ରତି ଜବାବରେ ପୁଲିସ ଗୁଳିରେ ଆହତ ହୋଇଯାଇଥିଲା ଥାଙ୍ଖିୟୁ।

ପରେ ତାକୁ ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଥାଙ୍ଖିୟୁକୁ ମୃତ୍ୟୁ ଘୋଷଣା କରିଥିଲେ ଡାକ୍ତର। ଏହି ଘଟଣାକୁ ନେଇ ମେଘାଳୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଛି। ଯାହାଫଳରେ ଆଜି ରାଜ୍ୟର ୪ ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରିବାକୁ ପଡ଼ିଛି।

Related Posts