ମେଘାଳୟର ତୁରାରେ ଭୂମିକମ୍ପ ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ମେଘାଳୟର ତୁରା । ଗୁରୁବାର ସକାଳୁ ସକାଳୁ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପ ସକାଳ ୩:୪୬ ସମୟରେ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ଥିଲା। ଭୂମିକମ୍ପର ଗଭୀରତା ୫ କିମି ରହିଥିଲା। ଜାତୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଏହି ଭୂମିକମ୍ପ ତୁରା ଠାରୁ ୩୭ କିମି ଦୂର ଉତ୍ତର-ପୂର୍ବରେ ହୋଇଥିଲା।

ଏହା ପୂର୍ବରୁ ୨୩ ନଭେମ୍ବରରେ ମହାରାଷ୍ଟ୍ରର ନାସିକରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପ ୪.୪ ସମୟରେ ଆସିଥିଲା ଏବଂ ଏହାର ତୀବ୍ରତା ୩.୬ ଥିଲା, ଏହାର ଗଭୀରତା ୫ କିମି ରହିଥିଲା। ସେହିପରି ୨୨ ନଭେମ୍ବରରେ ଲଦାଖର ଲେହ ଏବଂ କାରଗିଲ୍‌ରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରହିଥିଲା। ଭୂମିକମ୍ପ କେନ୍ଦ୍ର କାରଗିଲ ଠାରୁ ୧୯୧ କିମି ଉତ୍ତରରେ ରହିଥିଲା।

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ୨୧ ନଭେମ୍ବରରେ ଭୟଙ୍କର ଭୂମିକମ୍ପ ହୋଇଥିଲା, ଯେଉଁଥିରେ ୨୬୮ ଜଣଙ୍କ ମୃତ୍ୟୁ ହୋଇଛି। ୧୫୧ ଲୋକ ଏବେବି ନିଖୋଜ ଅଛନ୍ତି। ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୫.୬ ରହିଥିଲା। ଇଣ୍ଡୋନେସିଆର ସିୟାନଜୁର ଏହାର କେନ୍ଦ୍ର ରହିଥିଲା। ଭୂମିକମ୍ପ ସମୟରେ ଲୋକେ ଘରୁ ବାହାରକୁ ବାହାରି ଆସିଥିଲେ। ଭୂମିକମ୍ପ ଯୋଗୁଁ ଅନେକ ଘର ବିଲ୍ଠିଂ ଭୁଷୁଡ଼ି ପଡ଼ିଥିଲା। ଯାହାର ଭଗ୍ନାଂଶ ତଳେ ଚାପି ହୋଇ ଅଧିକାଂଶ ଲୋକଙ୍କ ପ୍ରାଣ ଯାଇଛି। ସୂଚନା ଅନୁଯାୟୀ ପ୍ରାୟ ୧,୦୮୩ ଲୋକ ଆହତ ହୋଇଛନ୍ତି।

Related Posts