ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ କଲେ ବିଧାୟକ; ରୁଜୁ ହେଲା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଡିଓଙ୍କୁ ମରଣାନ୍ତକ ଆକ୍ରମଣ କଲେ ବିଧାୟକ । ତେବେ ଦେବଗଡ଼ର ବିଜେପି ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ସେ ଓ ତାଙ୍କର ୧୦ରୁ ଅଧିକ ସହଯୋଗୀ ମିଶି ତିଳେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ବିଡିଓ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ବିଧାୟକ ଶ୍ରୀ ପାଣିଗ୍ରାହୀ ପାଲଟା ଅଭିଯୋଗ କରିବା ସହିତ ଥାନାରେ ଏତଲା ଦେଇଛନ୍ତି। ବିଡିଓ କୃଷ୍ଣଚନ୍ଦ୍ର ଦଳପତି ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଆଜି ସେ ଛେପିଲିପାଲି ପଞ୍ଚାୟତ ଅନ୍ତର୍ଗତ ଭାଲିଆଗୁଡ଼ି ଗାଁକୁ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏକ ଯୁଗ୍ମ ତଦନ୍ତରେ ଯାଇଥିଲେ।

ତାଙ୍କ ସହିତ ତହସିଲଦାର ପଲ୍ଲବୀ ନାୟକ, ଦେବଗଡ଼ ରେଭିନ୍ୟୁ ସୁପରଭାଇଜର ହୃଦାନନ୍ଦ ସାହୁ, ରାଜସ୍ୱ ନିରୀକ୍ଷକ ଜଲିରାଣୀ ପ୍ରଧାନ ଓ ଛେପିଲିପାଲି ଗ୍ରାମ ରୋଜଗାର ସେବକ ଜଗନ୍ନାଥ ସାହୁ ଉପସ୍ଥିତ ଥିଲେ। ଉକ୍ତ ଗାଁରେ ଥିବା ବେଳେ ଦିନ ସାଢ଼େ ୧୦ଟାରୁ ୧୨ ମଧ୍ୟରେ ତିନୋଟି ନମ୍ବରରୁ ତାଙ୍କ ମୋବାଇଲ୍ ଫୋନ୍କୁ କଲ୍ ଆସିଥିଲା। ତାଙ୍କୁ ବିଧାୟକ ଦେଖା କରିବାକୁ ଚାହୁଁଛନ୍ତି ବୋଲି କୁହାଯାଇଥିଲା। ତେବେ ସେ କାମ ସାରି ବିଧାୟକଙ୍କୁ ସାକ୍ଷାତ କରିବେ ବୋଲି କହିଥିଲେ। କିନ୍ତୁ କିଛି ସମୟ ପରେ ଦେବଗଡ଼ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ତାଙ୍କ ସହଯୋଗୀ ପ୍ରତାପ କୁମାର ପଣ୍ଡା, ରୁନା ପଣ୍ଡା, ଅକାଳୁ ଧଳ, କୁମରମଣି ସାହୁ ଓ ଦେବାଶିଷ କର (ବାବୁଲି)ଙ୍କ ସମେତ ୧୦ରୁ ଅଧିକ କର୍ମୀଙ୍କୁ ଧରି ଭାଲିଆଗୁଡ଼ି ଗାଁରେ ପହଞ୍ଚିଥିଲେ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts