ଶ୍ରୀମନ୍ଦିର ଦର୍ଶନରେ ଆସି ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ

ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଆସି ଚାଲିଗଲା ଜଣେ ପର୍ଯ୍ୟଟକଙ୍କ ଜୀବନ। ମୃତକ ଛତିଶଗଡ଼ରୁ ଆସିଥିବା ବେଳେ, ତାଙ୍କ ନାଁ ୭୨ ବର୍ଷୀୟ ୱାଇ. ଜି ମୂର୍ତ୍ତି | ପରିବାର ଲୋକେ ତୁରନ୍ତ ତାଙ୍କୁ ପୁରୀ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

ସୂଚନାଯୋଗ୍ୟ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ ୱାଇ. ଜି ମୂର୍ତ୍ତି ପରିବାରର ଲୋକଙ୍କ ସହିତ ଶ୍ରୀମନ୍ଦିରକୁ ଆସିଥିଲେ। ଶ୍ରୀଜିଉଙ୍କ ଦର୍ଶନ କରିବା ପରେ ସେ ବିମଳା ମନ୍ଦିରକୁ ଯାଇଥିଲେ। ସେଠାରେ ମା’ଙ୍କ ଦର୍ଶନ କରିବା ପରେ ପାହାଚରେ ବସିଥିବା ବେଳେ ହଠାତ୍ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ଏହା ପରେ ସେ ଚେତା ହରାଇଥିଲେ।

ଡାକ୍ତର ସତ୍ୟଜିତ ମହାନ୍ତି କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କର ସବୁ ଚେକ୍‌ ଅପ୍ କରାଯାଇଥିଲା। ତା’ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ୁଛି। ସେ ହୃଦ୍‌ରୋଗୀ ଥିଲେ। ତାଙ୍କ ହାର୍ଟରେ ପୂର୍ବରୁ ସମସ୍ୟା ଥିଲା ଓ ଏନେଇ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିବା ନେଇ ତାଙ୍କ ପରିବାର ଲୋକେ ଦେଖାଇଥିବା ରିପୋର୍ଟରୁ ଜଣାପଡ଼ିଛି |

ତେବେ ଏତେ ବୟସରେ ଦୂର ବାଟ ନଆସିବା ପାଇଁ ପରିବାର ଲୋକେ ବାରଣ କରୁଥିଲେ । କିନ୍ତୁ ସେ ଜଗାଦର୍ଶନ କରିବା ତାଙ୍କ ଶେଷ ଇଚ୍ଛା ବୋଲି ପରିବାରକୁ କହିଥିଲେ । ଏହାପରେ ପୁରା ପରିବାର ସହ ପୁରୀ ଆସିଥିଲେ ମହାପ୍ରଭୁଙ୍କ ଦର୍ଶନ ଲାଗି । ଆଉ ଏଠି ଚାଲିଗଲା ତାଙ୍କ ପ୍ରାଣବାୟୁ ।

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

Related Posts