କ୍ଷମତା ଯିବା ପରେ ବଦଳିଲା ଇମ୍ରାନ ଖାନ୍‌ଙ୍କ ସ୍ୱର: ଦେଶ ବିରୋଧୀ ନୁହନ୍ତି ଭାରତ ଓ ଆମେରିକା

ଇସଲାମାବାଦ: କ୍ଷମତା ବଳରେ ଆଣ୍ଟ ଦେଖାଉଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଏବେ ସ୍ୱର ବଦଳିଲା ପରି ଲାଗୁଛି | ଚୌକି ଯିବା ପରେ ଚେତା ଫେରିଛି | ପୂର୍ବରୁ ଭାରତ ଓ ଆମେରିକାକୁ ଶତ୍ରୁ କହିଆସୁଥିବା ବେଳେ, ଏବେ ନିଜ କଥାକୁ ନେଇ ୟୁ-ଟର୍ଣ୍ଣ ମାରିଛନ୍ତି | ପୂର୍ବରୁ ତାଙ୍କ ସରକାର ଗଡିବା ଓ ତାଙ୍କୁ ସତ୍ତାରୁ ହଟାଇବା ପଛରେ ଆମେରିକାର ଷଡଯନ୍ତ୍ର ଥିବା ନେଇ ସେ ଅଭିଯୋଗ କରି ଆସୁଥିଲେ। ଏବେ ଇମ୍ରାନ ତାଙ୍କର ଏହି କଥାରେ ୟୁ-ଟର୍ଣ୍ଣ ମାରିଛନ୍ତି। କରାଚିରେ ଆୟୋଜିତ ଏକ ରାଲିରେ ସେ ଭାରତ, ୟୁରୋପ ଏବଂ ସଂଯୁକ୍ତ ରାଜ୍ୟ ଆମେରିକା ସମେତ କୌଣସି ଦେଶ ବିରୋଧୀ ନୁହନ୍ତି ବୋଲି କହିଛନ୍ତି।

କରାଚିର ବାଗ-ଏ-ଜିନ୍ନାରେ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରି ପିଟିଆଇ ମୁଖ୍ୟ କହିଛନ୍ତି, ‘ସେ ମାନବିକତା ସହ ଅଛନ୍ତି। ରାଲିରେ ଭାଷଣ ଦେଇ ସେ କହିଛନ୍ତି, “ମୁଁ କୌଣସି ଦେଶ ବିରୋଧୀ ନୁହେଁ, ମୁଁ ଭାରତ ବିରୋଧୀ ନୁହେଁ, ୟୁରୋପ ବିରୋଧୀ ନୁହେଁ କିମ୍ବା ଆମେରିକା ବିରୋଧୀ ନୁହେଁ। ମୁଁ ମାନବିକତା ସହିତ ଅଛି … ମୁଁ କୌଣସି ସମ୍ପ୍ରଦାୟର ବିରୋଧୀ ନୁହେଁ।’

ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗାଦିଚ୍ୟୁତ ହେବା ପଛରେ “ବିଦେଶୀ ଷଡଯନ୍ତ୍ର” ଅଭିଯୋଗ ଆଣି ପାକିସ୍ତାନ ତେହେରିକ-ଏ-ଇନସାଫ ଆମେରିକା ବିରୋଧରେ ସାରା ଦେଶରେ ଅନେକ ବିରୋଧ ପ୍ରଦର୍ଶନ କରିଥିଲା।

ମିଳିତ ଜାତିସଂଘର ସାଧାରଣ ସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ ପାକିସ୍ତାନକୁ ରୁଷ ବିରୋଧରେ ଭୋଟ୍ ଦେବାକୁ ଇମ୍ରାନ ଖାନ ଇଉରୋପୀୟ ୟୁନିଅନ ଉପରକୁ ମଧ୍ୟ ଟାର୍ଗେଟ କରିଥିଲେ। ପାଶ୍ଚାତ୍ୟର ପ୍ରଭାବରୁ ଦେଶର ବୈଦେଶିକ ନୀତି ମୁକ୍ତ କରିବାକୁ ସେ ଦେଶରେ ପ୍ରଚାର କରୁଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ଭାରତକୁ ସମାଲୋଚନା କରିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ବର୍ତ୍ତମାନ ଭାରତକୁ ପ୍ରଶଂସା କରୁଛନ୍ତି।

ଇମ୍ରାନ୍‌ ଖାନ୍‌ ନ୍ୟାସନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବର ଗୋଟିଏ ଦିନ ପୂର୍ବରୁ ଦେଶକୁ ସମ୍ବୋଧିତ କରି ଭାରତକୁ ପ୍ରଶଂସାରେ ପୋତି ପକାଇଥିଲେ। ସେ କହିଥିଲେ, ‘ଭାରତୀୟମାନେ ଆତ୍ମନିର୍ଭରଶୀଳ। ଭାରତର ବୈଦେଶିକ ନୀତି ସ୍ୱତନ୍ତ୍ର ଏବଂ ଲୋକଙ୍କ ମଙ୍ଗଳ ପାଇଁ।

Related Posts