
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଷ୍ଟେଜରେ ଗୀତ ଗାଉଥିବା ବେଳେ ଚାଲିଗଲା ପ୍ରଖ୍ୟାତ ପ୍ରଖ୍ୟାତ ମାଲାୟଲମ କଣ୍ଠଶିଳ୍ପୀଙ୍କ ଜୀବନ । ପ୍ରଖ୍ୟାତ ମାଲାୟଲମ କଣ୍ଠଶିଳ୍ପୀ ଇଡାଭା ବଶୀର ଖଚାଖଚ ଲୋକଙ୍କ ଭିଡ଼ ଭିତରେ ଷ୍ଟେଜରେ ଗୀତ ଗାଉଥିଲେ। ହେଲେ ହଠାତ୍ ସେ ଷ୍ଟେଜ ଉପରେ ହିଁ ଟଳି ପଡ଼ିଥିଲେ। ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ୭୮ ବର୍ଷୀୟ ବଶୀରଙ୍କ ଅଚାନକ ବିୟୋଗ କେରଳ ସମେତ ମାଲାୟଲମ ଗୀତକୁ ଭଲ ପାଉଥିବା ଶ୍ରୋତାଙ୍କୁ ସ୍ତବ୍ଧ କରି ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତିରେ କେରଳର ଲୋକପ୍ରିୟ ମ୍ୟୁଜିକ ଟ୍ରୁପ୍ ବ୍ଲ୍ୟୁ ଡାଇମଣ୍ଡ ଅକେଷ୍ଟ୍ରାର ୫୦ ବର୍ଷ ପୂର୍ତ୍ତି ଅବସରରେ ଗୋଟିଏ କାର୍ୟ୍ୟକ୍ରମ ଅଲଫୁଜାରେ ଆୟୋଜନ କରାଯାଇଥିଲା। ଏହି କାର୍ୟ୍ୟକ୍ରମରେ ବଶୀର ମଧ୍ୟ ସଂଗୀତ ପରିବେଷଣ କରିଥିଲେ। ତେବେ ସେ ଷ୍ଟେଜରେ ଗୋଟିଏ ହିନ୍ଦୀ ଗୀତ ଗାଉଥିବା ବେଳେ ହଠାତ୍ ଟଳି ପଡ଼ିଥିଲେ। ତାଙ୍କୁ କାର୍ୟ୍ୟକ୍ରମର ଆୟୋଜକମାନେ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ ଡାକ୍ତର ବଶୀରଙ୍କୁ ମୃତ ଘୋଷଣା କରିଥିଲେ।