ଓଡିଶାର ଲୋକାୟୁକ୍ତଙ୍କ ପାଖରେ ନାହିଁ ନିଜସ୍ୱ ତଦନ୍ତକାରୀ ସଂସ୍ଥା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟର ଲୋକାୟୁକ୍ତଙ୍କ ନିକଟରେ ପ୍ରତିବର୍ଷ ଶହ ଶହ ଦୁର୍ନୀତି ମାମଲା ରୁଜୁ ହେଉଛି । କିନ୍ତୁ ଏହି ଅଭିଯୋଗ ଗୁଡିକର ତଦନ୍ତ କରିବା ନିମନ୍ତେ ଲୋକାୟୁକ୍ତଙ୍କ ପାଖରେ ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହାନ୍ତି । ତେଣୁ ଏ ପ୍ରକାରର ସମସ୍ୟାର ସମାଧାନ ପାଇଁ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ଲୋକାୟୁକ୍ତଙ୍କ ଅଧିନରେ ରଖିବାପାଇଁ ଦାବି ଉଠୁଛି ।

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶାରେ ଲୋକପାଳ ଗଠନ କରାଯାଇ ଥିଲା । ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟ ଗୁଡ଼ିକରେ ମଧ୍ୟ ଲୋକପାଳ ଗଠନ ହୋଇଥିଲା। କେନ୍ଦ୍ର ସରକାର ୨୦୧୩ ରେ ଲୋକପାଳ, ଲୋକାୟୁକ୍ତ ଆଇନ୍‍ ପ୍ରଣୟନ କରିବାପରେ ୨୦୧୪ରେ ଓଡିଶା ସରକାର ଲୋକାୟୁକ୍ତ ଆଇନ୍‍ ଆଣିଥିଲେ । ଏହି ଆଇନ୍‍ରେ ଲୋକାୟୁକ୍ତ ଓ ଅନ୍ୟ ୫ଜଣ ସଦସ୍ୟ ରହିବାର ପ୍ରାବଧାନ ରହିଛି । ସମ୍ପ୍ରତି ଗୌହ୍ୱାଟି ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଜିତ୍‍ ସିଂହ ଓଡିଶାର ଲୋକାୟୁକ୍ତ ଅଛନ୍ତି। ତାଙ୍କ ସଙ୍ଗେ ସଙ୍ଗେ ଆଉ ତିନିଜଣ ସଦସ୍ୟ ମଧ୍ୟ କାର୍ଯ୍ୟରତ ଅଛନ୍ତି।

ଲୋକାୟୁକ୍ତ ଏମତି ଏକ ସଂସ୍ଥା ଯେଉଁଠାରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ, ପଞ୍ଚାୟତ ଓ ପୌରସଂସ୍ଥାର ମୁଖ୍ୟ ଏବଂ ରାଜ୍ୟ ସରକାରଙ୍କର ବିଭିନ୍ନ ଦପ୍ତର ସମତେ ନିଗମ, କମ୍ପାନୀ, ସମିତି ଆଦିର ଦୁର୍ନୀତି ଅଭିଯୋଗ ମାମଲା ରୁଜୁ କରାଯାଇପାରିବ । ଅଭିଯୋଗ ପାଇବା ପରେ ସାଧାରଣତଃ ଲୋକାୟୁକ୍ତ ବିଭିନ୍ନ ପକ୍ଷଙ୍କୁ ନୋଟିସ୍‍ ଜାରି କରି ସମସ୍ତ ପକ୍ଷର ଯୁକ୍ତି ଶୁଣନ୍ତି ଏବଂ ଆବଶ୍ୟକ କ୍ଷେତ୍ରରେ ଅଭିଯୋଗର ତଦନ୍ତ କରାଇଥାନ୍ତି ।

ତେଣୁ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଲୋକାୟୁକ୍ତଙ୍କର ସେମିତି କିଛି ନିଜସ୍ୱ ତଦନ୍ତକାରୀ ସଂସ୍ଥା ନାହିଁ । ଏ ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କୁ ଅଧିକ ସକ୍ରିୟ କରିବାପାଇଁ ତାଙ୍କ ଅଧିନରେ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ରଖିବାପାଇଁ ସୁପ୍ରିମ୍‍କୋର୍ଟର ପୂର୍ବତନ ବିଚାରପତି ତଥା ଲୋକାୟୁକ୍ତ ଚୟନ କମିଟିର ଅନ୍ୟତମ ସଦସ୍ୟ ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ପୂର୍ବରୁ ପ୍ରସ୍ତାବ ଦେଇଥିଲେ ।

ତେବେ ଏମିତି ଏକ ଧାରଣା ରହିଛି ଯେ, ଉଚ୍ଚ ପଦ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଆସୁଥିବା ଅଭିଯୋଗର ତଦନ୍ତ ଭାର ସମ୍ପୃକ୍ତ ବିଭାଗ କିମ୍ବା ପୁଲିସ୍‍କୁ ଦିଆଗଲେ ଏହାର ନିରପେକ୍ଷତା ଉପରେ ଏକ ପ୍ରଶ୍ନବାଚୀ ସୃଷ୍ଟି ହେବାର ଆଶଙ୍କା ରହିଛି । ଏହି ଦୃଷ୍ଟିରୁ ଲୋକପାଳଙ୍କ ନିକଟରେ ନିଜସ୍ୱ ତଦନ୍ତକାରୀ ସଂସ୍ଥା ରଖାଯିବା ଅତ୍ୟନ୍ତ ଜରୁରୀ ବୋଲି ବିଭିନ୍ନ ମହଲରୁ ଦାବି ଉଠୁଛି।

ଏମିତିକି ଲୋକାୟୁକ୍ତ ଅନୁଷ୍ଠାନ ପାଇଁ ପର୍ଯ୍ୟାପ୍ତ ପରିମାଣର କର୍ମଚାରୀ ଓ ଜାଗା ଯୋଗାଇଦେବା ମଧ୍ୟ ମତପ୍ରକାଶ ପାଉଛି । ତୋଷାଳି ପ୍ଲାଜାରେ ଅନ୍ୟାନ୍ୟ ବହୁ କାର୍ଯ୍ୟାଳୟ ସହ ଏବେ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ ବି ଚାଲୁଛି । ରାଜଧାନୀର କେନ୍ଦ୍ରସ୍ଥଳରେ ପର୍ଯ୍ୟାପ୍ତ କୋଠରୀ ଓ ସ୍ଥାନ ସହିତ ସ୍ୱତନ୍ତ୍ର ଲୋକାୟୁକ୍ତ ଦପ୍ତର ପ୍ରତିଷ୍ଠା କରିବାକୁ ମଧ୍ୟ ବିଭିନ୍ନ ମହଲରୁ ଦାବି ଉଠୁଛି । ଜଷ୍ଟିସ ପଟ୍ଟନାୟକ ମଧ୍ୟ ଲୋକପାଳଙ୍କ ଦପ୍ତର ପାଇଁ ସ୍ୱତନ୍ତ୍ର ଅଫିସ ଗୃହ ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ଓ ଅଧିକ କର୍ମଚାରୀ ବ୍ୟବସ୍ଥା ଉପରେ ଗୁରୁତ୍ୱଆରୋପ କରିଥିବା ଘଟଣା ଓଡିଶା ଲୋକାୟୁକ୍ତଙ୍କ ପ୍ରଥମ ବାର୍ଷିକ ରିପୋର୍ଟରେ ଉଲ୍ଲେଖ ରହିଛି ।

Related Posts