ଲୋକାୟୁକ୍ତଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଲୋକାୟୁକ୍ତଙ୍କ ବିରୋଧରେ ଅବମାନନା ମାମଲା ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀଙ୍କ ବିରୋଧରେ ମାମଲା ଦାୟର ହୋଇଛି। ହାଇକୋର୍ଟ ନିର୍ଦ୍ଦେଶନାମାର ଜାଲ୍ କପି ବଳରେ ସୁପ୍ରିମକୋର୍ଟ ଯାଇଥିବା ଅଭିଯୋଗ ହୋଇଛି। ଏବଂ ଲୋକାୟୁକ୍ତଙ୍କୁ କାର୍ଯ୍ୟକଳାପରୁ ବିରତ ରଖିବାକୁ ପ୍ରଦୀପ ଆବେଦନ କରିଛନ୍ତି। ଏ ନେଇ ସୂଚନା ଦେଇଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ ପୀତାମ୍ବର ଆଚାର୍ଯ୍ୟ । ପାଠକ ବାପ-ପୁଅ ମାମଲାରେ ଗିରଫ ହୋଇଥିବା ପ୍ରଦୀପ ବର୍ତ୍ତମାନ ଜାମିନରେ ଅଛନ୍ତି।

ଲୋକାୟୁକ୍ତ ଜଷ୍ଟିସ୍‌ ଅଜିତ ସିଂ ଓ ସଚିବ ମାନସ ତ୍ରିପାଠୀ ମିଥ୍ୟା ଦଲିଲ ସହାୟତାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଏହା ସହିତ ମାନ୍ୟବର ଓ ହାଇକୋର୍ଟଙ୍କ ମିଥ୍ୟା ନିର୍ଦ୍ଦେଶନାମା ସହିତ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକାୟୁକ୍ତ ସଦସ୍ୟ । ଏହାକୁ ଅଗଣତାନ୍ତ୍ରିକ ଏବଂ ଅଣସାମ୍ବିଧାନିକ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ଏବଂ ଓକିଲ ପୀତାମ୍ବର ଆଚାର୍ଯ୍ୟ ଏକ ପ୍ରେସ୍‌ମିଟ୍‌ କରିଛନ୍ତି।

ପ୍ରଦୀପ ପାଣିଗ୍ରାହୀ ନିଜ ଆବେଦନ ଅନୁଯାୟୀ ଲୋକାୟୁକ୍ତ ତାଙ୍କ ବିରୋଧରେ କରିଥିବା ମାମଲାକୁ ସେ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ହାଇକୋର୍ଟ ତାଙ୍କ(ପ୍ରଦୀପ ପାଣିଗ୍ରାହୀ) ସପକ୍ଷରେ ରାୟ ଦେବା ସଙ୍ଗେ ସଙ୍ଗେ ଭିଜିଲାନ୍ସ ପରିବର୍ତ୍ତେ ନିଜସ୍ୱ ଏଜେନ୍ସି ଦ୍ୱାରା ଲୋକାୟୁକ୍ତ ଏହାର ତଦନ୍ତ କରିପାରିବେ ବୋଲି ହାଇକୋର୍ଟ ରାୟ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଏସଏଲପି (ସ୍ପେଶାଲ ଲିଭ୍ ପିଟିସିନ) ଜରିଆରେ ସୁପ୍ରିମକୋର୍ଟ ଯାଇଥିଲେ ଲୋକାୟୁକ୍ତ।

ଏହା ପରେ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବା ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ନୋଟିସ ଜାରି କରିଥିଲେ । ପ୍ରଦୀପ ପାଣିଗ୍ରାହୀଙ୍କ ଅଭିଯୋଗ ମୁତାବକ, ” ନୋଟିସ ପାଇବା ପରେ ଲୋକାୟୁକ୍ତ ଏସଏଲପିରେ ଦାଖଲ କରିଥିବା ହାଇକୋର୍ଟ ଅର୍ଡର କପି ନକଲି ବୋଲି ସେ ଜାଣିବାକୁ ପାଇଥିଲେ। ହାଇକୋର୍ଟଙ୍କ ନିର୍ଦ୍ଦେଶାନାମା ଦୁଇ ପୃଷ୍ଠା ବିଶିଷ୍ଟ ହୋଇଥିବା ବେଳେ ଏସଏଲପିରେ ୬ ପୃଷ୍ଠା ବିଶିଷ୍ଟ ନିର୍ଦ୍ଦେଶାନାମା ଦାଖଲ ହୋଇଥିଲା ବୋଲି ସେ କହିଛନ୍ତି। 

ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ କହିଛନ୍ତି ଯେ ଲୋକାୟୁକ୍ତଙ୍କ ଭଳି ସଂସ୍ଥା ଏଭଳି ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ରାଜ୍ୟର ଆଇନବ୍ୟବସ୍ଥା ପ୍ରତି ଉପହାସ । ତେଣୁ ନକଲି ନିର୍ଦ୍ଦେଶାନାମା ଦାଖଲ କରିବା ଅଭିଯୋଗରେ ଲୋକାୟୁକ୍ତ ଓ ତାଙ୍କ ସଚିବଙ୍କ ବିରୋଧରେ ଫୌଜଦାରୀ ଅଦାଲତ ଅବମାନନା ମାମଲା ରୁଜୁ ସହ କାର୍ଯ୍ୟରୁ ଅନ୍ତର କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି। ଲୋକାୟୁକ୍ତଙ୍କ ଏହି କାର୍ଯ୍ୟକଳାପ ଦ୍ୱାରା ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ଅବମାନନା ହୋଇଥିବାରୁ ଆଗାମୀ ଦିନରେ ପ୍ରଦୀପ ପାଣିଗ୍ରାହୀ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇପାରନ୍ତି ବୋଲି ଆଇନଜୀବୀ ପିତାମ୍ୱର ଆଚାର୍ଯ୍ୟ କହିଛନ୍ତି।

ସୂଚନାଯୋଗ୍ୟ ଯେ ଗତ ଜୁନ୍‌ ୧୨ ତାରିଖରେ ଝାରପଡ଼ା ଜେଲରୁ ମୁକୁଳିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କ ବିରୋଧରେ ଆସିଥିବା ଷଷ୍ଠ ମାମଲାରେ ହାଇକୋର୍ଟରୁ ଜାମିନ ପାଇବା ପରେ ସେ ଜେଲରୁ ଖଲାସ ହୋଇଥିଲେ । ଠକେଇ ଅଭିଯୋଗରେ ଗତ ଡିସେମ୍ବରରେ ଗିରଫ ହୋଇ ଜେଲରେ ଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଜୁନ୍‌ ୧୨ରେ  ଗୋଳନ୍ଥରା ଥାନା ମାମଲାରେ ଓଡ଼ିଶା ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ନିମ୍ନ କୋର୍ଟରେ ୨ ଲକ୍ଷ ଟଙ୍କା ଲେଖାଏଁ ୨ ଜଣ ଜାମିନଦାରଙ୍କ ବଦଳରେ ହାଇକୋର୍ଟ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଥିଲେ । ତାଙ୍କ ବିରୋଧରେ ମୋଟ୍ ୬ଟି ମାମଲା ଥିବାବେଳେ ପୂର୍ବରୁ ସେ ୫ଟିରେ ଜାମିନ ପାଇଥିଲେ । ଆକାଶ ପାଠକ ଠକେଇ ଲିଙ୍କ୍‌ ମାମଲାରେ ଗୋପାଳପୁରର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗତ ଡ଼ିସେମ୍ବରରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ତାଙ୍କ ବିରୋଧରେ ଆଇଟି ଆକ୍ଟର ସଂଗୀନ ଦଫା ଲଗାଯାଇଥିଲା । 

Related Posts