ଦେଶବ୍ୟାପୀ ଲକଡାଉନ ଉପରେ ବିଚାର କରାଯିବା ଉଚିତ : ଅଶୋକ ଗେହଲୋଟ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର: କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଅଧିକ ଘାତକ ହେବା ପୂର୍ବରୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦେଶବ୍ୟାପୀ ଲକଡାଉନ୍ ବିଷୟରେ ଚିନ୍ତା କରିବା ଉଚିତ୍ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରବିବାର କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ ରାଜ୍ୟର ଚିତ୍ତରଗଡ ଏବଂ ଶ୍ରୀଗଙ୍ଗନଗର ଜିଲ୍ଲାର ମେଡିକାଲ କଲେଜ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଗେହଲୋଟ୍ ଏକ ଭର୍ଚୁଆଲ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହି ପ୍ରସ୍ତାବ ଦେଇଛନ୍ତି । କୋଭିଡ୍ ଶୃଙ୍ଖଳା ଭାଙ୍ଗିବା ପାଇଁ ଅନେକ ରାଜ୍ୟ ସେମାନଙ୍କ ସ୍ତରରେ ଲକଡାଉନ୍ ଓ ପ୍ରତିବନ୍ଧ ଲଗାଇଛନ୍ତି, କିନ୍ତୁ ଆନ୍ତଃ ରାଜ୍ୟ ସମନ୍ୱୟର ଅଭାବ ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ପୂର୍ବ ବର୍ଷର ଦେଶବ୍ୟାପୀ ଲକଡାଉନ୍ ଅନୁଭୂତିକୁ ବିଚାରକୁ ନେଇ ସମଗ୍ର ଦେଶରେ ପୁନର୍ବାର ଲକଡାଉନ୍ କରିବା ଉପରେ ଚିନ୍ତା କରିବା ଉଚିତ ବୋଲି ଗେହଲୋଟ୍ କହିଛନ୍ତି। ରାଜସ୍ଥାନ ସରକାର ଆସନ୍ତା 10 ରୁ 24 ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କଡା ଲକଡାଉନ୍ ଘୋଷଣା କରିଛନ୍ତି ଯେଉଁଥିରେ ଆନ୍ତଃ ରାଜ୍ୟ ଯାତାୟତକୁ ମଧ୍ୟ ଅନୁମତି ଦିଆଯାଇ ନାହିଁ। ଦିଲ୍ଲୀ , ମହାରାଷ୍ଟ୍ର, ତାମିଲନାଡୁ, ହରିୟାଣା ଏବଂ କର୍ଣ୍ଣାଟକ ଭଳି ରାଜ୍ୟ ମଧ୍ୟ କରୋନାଭାଇରସ୍ ବିସ୍ତାରକୁ ରୋକିବା ପାଇଁ କଡା ପ୍ରତିବନ୍ଧ ଲଗାଇଛନ୍ତି। କୋଭିଡ୍ ମହାମାରୀର ଦ୍ୱିତୀୟ ଲହର ଭୟଙ୍କର ଏବଂ ଅଧିକ ମାରାତ୍ମକ ରୂପ ନେଇଛି ବୋଲି ଗେହଲୋଟ୍ କହିଛନ୍ତି । ତେବେ ମହାମାରୀର ଭୟାବହତାକୁ ନଜରରେ ରଖି ଟୀକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ୍ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସେ DRDO ଦ୍ୱାରା ସ୍ଥାପିତ ଅମ୍ଳଜାନ ପ୍ଲାଣ୍ଟ ସଂଖ୍ୟା ବୃଦ୍ଧି କରିବାକୁ, ଅମ୍ଳଜାନ ପରିବହନ ପାଇଁ ଅତିରିକ୍ତ ଟ୍ୟାଙ୍କର୍ ଯୋଗାଇବାକୁ ଏବଂ ନିକଟସ୍ଥ ରାଜ୍ୟରୁ ରାଜସ୍ଥାନକୁ ଅମ୍ଳଜାନ ଆବଣ୍ଟନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ମହାମାରୀ ବିରୋଧରେ କେନ୍ଦ୍ର, ରାଜ୍ୟ ଏବଂ ଲୋକଙ୍କୁ ଏକାଠି ଲଢିଲେ ଏହି ବିପଦକୁ ମୁକାବିଲା କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି ଯେ ଭାରତ ଏକ ଆହ୍ବାନପୂର୍ଣ୍ଣ ସମୟ ଦେଇ ଗତି କରୁଛି ଏବଂ ସମସ୍ତ ରାଜ୍ୟରେ ସମ୍ବଳ ଉପଲବ୍ଧତା ନିଶ୍ଚିତ କରିବାକୁ କେନ୍ଦ୍ର ସମସ୍ତ ଉଦ୍ୟମ କରୁଛି। ହର୍ଷବର୍ଦ୍ଧନ କହିଛନ୍ତି ଯେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (AIIMS) ର ସଂଖ୍ୟା 22 କୁ ବୃଦ୍ଧି ପାଇଛି ଏବଂ 110 ଟି ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଯୋଜନା କରାଯାଇଛି।  ଏହି କ୍ରମରେ, ତୃତୀୟ ପର୍ଯ୍ୟାୟରେ ଅନୁମୋଦିତ 75 ଟି ମେଡିକାଲ୍ କଲେଜ ମଧ୍ୟରୁ ସର୍ବାଧିକ 15 ଟି ରାଜସ୍ଥାନରେ ଅଛି । ଚିତ୍ତରଗଡ ଏବଂ ଶ୍ରୀଗଙ୍ଗନଗରର ପ୍ରତିଟି ମେଡିକାଲ କଲେଜ 325 କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି।

Related Posts