ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ହୋଇଥିବା ନିର୍ବାଚନର ଭୋଟ ଗଣତି ଏଆଇସିସି ମୁଖ୍ୟାଳୟରେ ପୂର୍ବାହ୍ନ ୧୦ ଟା ୨୦ରୁ ଆରମ୍ଭ ହୋଇଛି। ଆଉ କିଛି ସମୟ ପରେ ନିର୍ବାଚନର ଫଳାଫଳ ଆସିବ। ହେଲେ କଂଗ୍ରେସ ସମର୍ଥକମାନେ ଏବେ ଠୁ ଦଳୀୟ କାର୍ଯ୍ୟାଳୟ ବାହାରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପଷ୍ଟୋର ଲଗାଇବା ଆରମ୍ଭ କରିଛନ୍ତି। ଏହାରି ଭିତରେ ଶଶି ଥରୁରଙ୍କ ପୋଲିଂ ଏଜେଣ୍ଟ ସଲମାନ ସୋଜ ଗୁରୁତର ଅଭିଯୋଗ ଆଣିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ସଲମାନ ସୋଜ ଉତ୍ତରପ୍ରଦେଶରେ ନିର୍ବାଚନ ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି। କୁହାଯାଉଛି ଯେ ନିର୍ବାଚନୀ ପ୍ରକ୍ରିୟାରେ ଆପତ୍ତି ଆଣି ସଲମାନ କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ଅଧ୍ୟକ୍ଷ ମଧୁସୂଦନ ମିସ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି। ଉତ୍ତରପ୍ରଦେଶରେ ଭୋଟ ଦାନ ସମୟରେ ମତଦାତା ମାନଙ୍କୁ ସ୍ଵାଧୀନ ଭାବେ ମତଦାନ କରିବାକୁ ଦିଆଯାଇନଥିବା ସେ ଅଭିଯୋଗ ଆଣିଛନ୍ତି।
ସୂଚନାଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ବୁଧବାର ମତଗଣନା ଆରମ୍ଭ ହୋଇଛି। ପ୍ରାୟ ୨୪ ବର୍ଷ ପରେ ଗାନ୍ଧୀ ପରିବାର ବାହାରେ କୌଣସି ନେତା ସବୁଠାରୁ ପୁରୁଣା ଦଳର ଅଧ୍ୟକ୍ଷ ଭାବେ ନିର୍ବାଚନ କରାଯିବ। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ବୁଧବାର ୧୦ ଟା ୨୦ରେ ମତ ଗଣନା ଆରମ୍ଭ ହୋଇଛି। ଏହି ସମୟରେ ଅଧ୍ୟକ୍ଷ ପଦ ପ୍ରାର୍ଥୀ ଶଶି ଥରୁରଙ୍କ ପ୍ରସ୍ତାବକ ସାଂସଦ କାର୍ତ୍ତି ଚିଦାମବରମ ଓ ଅନ୍ୟ ମନୋନୀତ ଏଜେଣ୍ଟ ଉପସ୍ଥିତ ରହିଛନ୍ତି। ସେହିପରି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପକ୍ଷରୁ ସାଂସଦ ସୈୟଦ ହୁସେନଙ୍କ ସହ ଅନ୍ୟ ନେତାମାନେ ଉପସ୍ଥିତ ରହିଛନ୍ତି।
