ଭୁବନେଶ୍ୱର,୯/୬(ସତ୍ୟପାଠ ବ୍ୟୁରୋ): ବଦଳିଛି ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହର ତାରିଖ। ଜୁନ୍ ୧୦ ପରିବର୍ତ୍ତେ ଜୁନ୍ ୧୨ରେ ହେବ ଶପଥ ଗ୍ରହଣ ସମାରୋହ। ୧୨ ତାରିଖ ସଂଧ୍ୟାରେ ହୋଇପାରେ ଶପଥ ଗ୍ରହଣ ସମାରୋହ ବୋଲି ସୂଚନା ମିଳିଛି।
ସୂଚନା ଅନୁଯାୟୀ, ଆଜି ରାତିରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଓଡ଼ିଶା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବେ। ସେମାନେ ଓଡ଼ିଶା ଆସିବା ପରେ ଆସନ୍ତକାଲି ଦଳର ନବନିର୍ବାଚିତ ବିଧାୟକମାନଙ୍କୁ ନେଇ ବୈଠକ ହେବ।
ଦଳର ସଂସଦୀୟ ବୋର୍ଡରେ ମୁଖ୍ୟମନ୍ତ୍ରୀ ପାଇଁ ଯେଉଁ ସବୁ ନାଁ ସ୍ଥିର ହୋଇଥିବ ସେଗୁଡ଼ିକୁ ଏହି ବୈଠକରେ ଉପସ୍ଥାପନ କରାଯିବ। ଆଲୋଚନା ପରେ ଗୋଟିଏ ନାଁକୁ ମୁଖ୍ୟମନ୍ତ୍ରୀ ପଦ ପାଇଁ ସର୍ବସମ୍ମତିକ୍ରମେ ବଛାଯିବ। ତା’ସହିତ କେଉଁମାନଙ୍କୁ ମନ୍ତ୍ରୀ କରାଯିବ, ତା’ ଉପରେ ମଧ୍ୟ ଆଲୋଚନା ହେବ।
ଶପଥଗ୍ରହଣ ଉତ୍ସବ ପାଇଁ ଜନତା ମୈଦାନରେ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଯାଏଁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ, ତାହା ସ୍ପଷ୍ଟ ହୋଇନାହିଁ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଯେଉଁମାନଙ୍କ ନାଁ ଆଲୋଚନା ହେଉଛି, ସେମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ରହିଛନ୍ତି। କିନ୍ତୁ ଆଜି ଆସିଥିବା ସୂଚନା ଅନୁଯାୟୀ, ସମ୍ବଲପୁରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ। ଆଜି ମନ୍ତ୍ରୀ ଭାବେ ଶପଥ ନେବା ପାଇଁ ଯେଉଁମାନଙ୍କ ପାଖକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଯାଇଛି, ସେମାନଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଛନ୍ତି ବୋଲି କୁହାଯାଉଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନେଇ ବିଜେପି କେନ୍ଦ୍ରୀୟ ନେତୃତ୍ୱ କିଛି ସର୍ପ୍ରାଇଜ୍ ବି ଦେଇପାରନ୍ତି ବୋଲି କୁହାଯାଉଛି।
ସୁରେଶ ପୂଜାରୀ, କନକ ବର୍ଦ୍ଧନ ସିଂହଦେଓ, ଜୟ ନାରାୟଣ ମିଶ୍ର, ମୋହନ ମାଝୀ, ରବି ନାଏକ ଓ ସୁରମା ପାଢ଼ୀଙ୍କ ସହିତ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ, ଲକ୍ଷ୍ମଣ ବାଗ, ସମ୍ପଦ ସ୍ୱାଇଁ, ସନାତନ ବିଜୁଳି, ଅମର ନାୟକ, ବିଭୂତି ଜେନା, ସିଦ୍ଧାନ୍ତ ମହାପାତ୍ର, ଡାକ୍ତର ମୁକେଶ ମହାଲିଙ୍ଗ, ଅଶ୍ୱିନୀ ଷଡ଼ଙ୍ଗୀ, ଆଶ୍ରିତ ପଟ୍ଟନାୟକ, ବାବୁ ସିଂହ, କୃଷ୍ଣ ଚନ୍ଦ୍ର ମହାପାତ୍ର, ଭବାନୀ ଶଙ୍କର ଭୋଇ, ନିତ୍ୟାନନ୍ଦ ଗଣ୍ଡ, ଡାକ୍ତର ଫକୀର ମୋହନ ନାୟକ ଓ ପ୍ରଭାତୀ ପରିଡ଼ା ପ୍ରମୁଖ ମନ୍ତ୍ରୀ ରେସ୍ରେ ଅଛନ୍ତି ବୋଲି କୁହାଯାଉଛି।