ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପୁଲିସର ଏନକାଉଣ୍ଟର ଆଉ କଡ଼ା ଏନଏସଏ ଲାଗୁ ସତ୍ତ୍ବେ ୨୪ ଘଣ୍ଟାରେ ୩ ଦୁଷ୍କର୍ମ ଅଭିଯୋଗ । ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଥିବା ରାଜ୍ୟ ସରକାର ବାରମ୍ବାର ବଡ଼ ପାଟିରେ ଦୋହରାଇ ଚାଲିଛନ୍ତି। ହେଲେ ସ୍ଥିତି ଯେ, କେତେ ସଙ୍ଗୀନ ୨୪ ଘଣ୍ଟାରେ ରାଜ୍ୟର ୩ଟି ଜାଗାରୁ ଆସିଥିବା ୩ଟି ଦୁଷ୍କର୍ମ ଅଭିଯୋଗରୁ ପ୍ରମାଣିତ ହେଉଛି ।(ରାଇରଙ୍ଗପୁର) ପିଶାଚ ସାଜିଲା ପୁରୁଷ ବନ୍ଧୁ। ମୟୂରଭଞ୍ଜ ରାଇରଙ୍ଗପୁର ଟାଉନ୍ ଥାନା ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଉଠାଇ ନେଇ ଯୌନ ନିର୍ଯାତନା ଅଭିଯୋଗ। ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନଥିବା ଏସ୍‌ପି ସ୍ପଷ୍ଟ କରିଥିବା ବେଳେ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ପକ୍‌ସୋ ଆକ୍ଟରେ ମାମଲା ରୁଜୁ କରି ଛାନଭିନ୍ ଚଳାଇଛି ପୁଲିସ। ମାମଲାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ରାଇରଙ୍ଗପୁର ପୁଲିସ ।

ନବରଙ୍ଗପୁର କୋଡ଼ିଙ୍ଗାରେ ବାପା ଛେଉଣ୍ଡ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା ସନ୍ଦେହ। ହତ୍ୟା ପରେ ଯୁବତୀଙ୍କ ମୃତଦେହକୁ ଘର ବାରିପଟେ ଫିଙ୍ଗି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଘଟଣାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର ରାତିରେ ପହିଲି ରଜ ଖେଳିବାକୁ ସାଙ୍ଗସାଥିଙ୍କ ସହ ଯାଇଥିଲେ ଯୁବତୀ। ହେଲେ, ସକାଳୁ ଘର ବାରିପଟେ ମିଳିଥିଲା ଯୁବତୀଙ୍କ ରକ୍ତାକ୍ତ ମୃତଦେହ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଲାଙ୍ଗୀର ପାଟଣାଗଡ଼ରୁ ମଧ୍ୟ ଆସିଛି ସେମିତି ଯନ୍ତ୍ରଣା ଦାୟକ ଖବର। ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ଏହି ମାମଲାରେ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁଲିସ୍। ଅଧିକ ତଦନ୍ତ ଜାରି ରହିଛି।