ରାଜ୍ୟରେ ଧୀରେ ଧୀରେ ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୬୨୮ ପଜିଟିଭ୍‌ ଚିହ୍ନଟ, ୪ ମୃତ, ମୃତ୍ୟୁ ସଂଖ୍ୟା ୮୧୨୨କୁ ବୃଦ୍ଧି

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଗତ କିଛିଦିନ ହେବ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଏବେ ପୁଣି ଧୀରେ ଧୀରେ ସଂକ୍ରମଣ ବଢ଼ୁଥିବା ଦେଖିବାକୁ ମିଳିଛି। ସେପ୍ଟେମ୍ବର ୧୫ରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ, ରାଜ୍ୟରେ ୫୮୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେହିପରି ସେପ୍ଟେମ୍ବର ୧୬ର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୬୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। 

ଏଥି ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ୯୬ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୬୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫ ଜଣ, ବାଲେଶ୍ୱରରୁ ୨୨ ଜଣ, ବରଗଡ଼ରୁ ୭ ଜଣ, ଭଦ୍ରକରୁ ୭ ଜଣ, ବଲାଙ୍ଗିରରୁ ୧, କଟକରୁ ୭୨ ଜଣ, ଦେବଗଡ଼ରୁ ୧ ଢେଙ୍କାନାଳରୁ ୫ ଜଣ, ଗଜପତି ୨, ଗଞ୍ଜାମ ୧,  ଜଗତସିଂହପୁରରୁ ୨୬, ଯାଜପୁରରୁ ୧୯, ଝାରସୁଗୁଡ଼ାରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, ଖୋର୍ଦ୍ଧାରୁ ୨୯୧ ଜଣ, କୋରାପୁଟରୁ ୧୬, ମୟୁରଭଞ୍ଜରୁ ୨୨ ଜଣ, ନୟାଗଡ଼ରୁ ୭, ପୁରୀରୁ ୯ ଜଣ, ରାୟଗଡ଼ାରୁ ୪ ଜଣ, ସମ୍ବଲପୁରରୁ ୮ ଜଣ, ସୁନ୍ଦରଗଡ଼ରୁ ୨୩ ଜଣ ଓ ଷ୍ଟେଟ ପୁଲ୍‌ରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୮ ହଜାର ୯୨୬ରେ ପହଞ୍ଚିଛି। ସେହିପରି ଆକ୍ଟିଭ୍‌ କେସ୍‌ ୫୯୦୬ ରହିଥିବା ବେଳେ ୧୦୦୪୮୪୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକ, ଖୋର୍ଦ୍ଧା, ଜଗତସିଂହପୁର ଓ ଭଦ୍ରକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୧୨୨ରେ ପହଞ୍ଚିଛି। ରାଜ୍ୟରେ କରୋନା କମିଥିଲେ ମଧ୍ୟ କଟକଣା ମାନିବାକୁ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପରାମର୍ଶ ଦେଇଛନ୍ତି। 

Related Posts