ତାଲିବାନ ବର୍ବରତା : ମହିଳା ବ୍ୟାପାର ମନ୍ତ୍ରାଳୟକୁ ମହିଳା କର୍ମଚାରୀଙ୍କ ପ୍ରବେଶ ଉପରେ ରୋକ୍ ଲଗାଇଲା ତାଲିବାନ୍

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ଘଟଣା ବୃଦ୍ଧି ପାଉଥିବାରୁ ନଜର ଆସୁଛି। ବର୍ତ୍ତମାନ ତାଲିବାନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ଯେ, ରାଜଧାନୀ କାବୁଲ୍‌ରେ ଥିବା ମହିଳା ବ୍ୟାପାର ମନ୍ତ୍ରାଳୟ କୁ ମହିଳା କର୍ମଚାରୀଙ୍କ ପ୍ରବେଶ ମନା । 

ମହିଳା ବ୍ୟାପାର ମନ୍ତ୍ରାଳୟକୁ କେବଳ ପୁରୁଷ କର୍ମଚାରୀମାନଙ୍କୁ ପ୍ରେବଶ ପାଇଁ ଅନୁମତି ଦିଆଯାଉଥିବା ବେଳେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ କରାଯାଇଥିବା ନେଇ ମନ୍ତ୍ରାଳୟର ଜଣେ କର୍ମଚାରୀ ସୂଚନା ଦେଇଛନ୍ତି।  ‘ସ୍ପୁଟ୍‌ନିକ୍‌ ନିଉଜ୍ ଏଜେନ୍‌ସି’ ରିପୋର୍ଟ ଅନୁଯାୟୀ , ମହିଳା ବ୍ୟାପାର ମନ୍ତ୍ରାଳୟ ଭିତରକୁ ଚାରିଜଣ ମହିଳାଙ୍କୁ  ପ୍ରବେଶ ପାଇଁ ଅନୁମତି ଦିଆଯାଇ ନଥିଲା। 

୨୦ ବର୍ଷ ପରେ ଆଫଗାନିସ୍ତାନରେ ପୁନର୍ବାର ତାଲିବାନ୍ ଶାସନ ଫେରିବା ପରେ ପୂର୍ବରୁ ବିଶେଷଜ୍ଞ ମାନେ ଯେଉଁ ଚେତାବନୀ ଦେଇଥିଲେ ତାହା ସତ ପ୍ରମାଣିତ ହୋଇଛି। ତାଲିବାନ୍ ଶାସନରେ ଆଫଗାନ୍‌ ନାରୀମାନେ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହେଉଛନ୍ତି। ସରିଆ ଆଇନ’କୁ କଡାକଡି ଭାବେ ଲାଗୁ କରି ତାଲିବାନ୍ ମହିଳା ମାନଙ୍କୁ ଘରେ ଭିତରେ ରହିବାକୁ ନିର୍ଦେଶ ଦେଇଛି। 

କିନ୍ତୁ, ଗତ ମାସରେ ତାଲିବାନ ଯେତେବେଳେ କାବୁଲକୁ ଅକ୍ତିଆର କରିଥିଲା ସେତେବେଳେ ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ତାଲିବାନ୍ ପ୍ରବକ୍ତା ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ , ଇସ୍‌ଲାମ ନିୟମ ଅନୁଯାୟୀ ମହିଳାମାନଙ୍କୁ ସେମାନଙ୍କର ଅଧିକାର ଦେବା ପାଇଁ ତାଲିବାନ୍‌ ପ୍ରତିଶ୍ରୁତିବଦ୍ଧ। ତାଲିବାନ୍ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ କହିଥିଲେ ଯେ , ମହିଳାମାନଙ୍କୁ ଇସ୍‌ଲାମ୍‌ ଆଧାରିତ ଅଧିକାର ଦିଆଯିବ । 

ମହିଳା ମାନଙ୍କୁ ପାଠ ପଢିବା ଓ କାମ କରିବାକୁ ଅନୁମତି ଦିଆଯିବ। ମହିଳାମାନେ ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ କରି ପାରିବେ। କିନ୍ତୁ, ସରକାର ଗଢିବା ପରେ ତାଲିବାନ୍ ତାହାର ଅସଲ ରୂପ ଦେଖାଉଛି। ଯାହା କହିଥିଲା ତାର ଓଲଟା କରୁଛି। ଚଳିତ ମାସରେ ପ୍ରାରମ୍ଭରେ ତାଲିବାନ୍‌ ଘୋଷଣା କରିଥିବା ସରକାରେ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ। ଯାହାକୁ ନେଇ ତାଲିବାନର ଆଲୋଚନା ହେଉଛି। 

Related Posts