ନିଆରା ସମ୍ପର୍କ; ଗାଈ ପାଇଁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇଲେ ବୃଦ୍ଧା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗାଈ ପାଇଁ ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇପଡ଼ିଲେ ଜଣେ ବୃଦ୍ଧା । ନିଜର ପ୍ରିୟ ଗାଈକୁ ଫେରାଇ ଆଣିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି । ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି ସୁବର୍ଣ୍ଣପୁରରରେ । ସେପଟେ ବୃଦ୍ଧା ଜଣଙ୍କର ନାମ ତରାସ ବାଘ ବୋଲି ଜଣା ପଡ଼ିଛି । ଦୀର୍ଘ ୨୦ ବର୍ଷ ଧରି ମେଡିକାଲ ବାରଣ୍ଡାରେ ରହିଆସୁଛନ୍ତି ବୃଦ୍ଧା ମହିଳା । ନିଜର ବୋଲି ଏ ଦୁନିଆଁରେ କେହି ନାହାନ୍ତି । ଏପରିକି ରହିବାକୁ ଘର ଖଣ୍ଡେ ନାହିଁ । ହେଲେ ସେ ଏକ ବୁଲା ଗାଈଟିକୁ ନିଜର ଭାବି ପାଳିଆସୁଥିଲେ । ଦିନ ସାରା ବୁଲି ଯାହା ଖାଦ୍ୟ ସଂଗ୍ରହ କରନ୍ତି, ତାକୁ ନିଜେ ଖାଇ ବାକି ବୁଲା ଗାଈଙ୍କୁ ଦିଅନ୍ତି। ଏଥିଯୋଗୁଁ ୪ଟି ଗାଈ ସହ ବୃଦ୍ଧାଙ୍କ ନିବିଡ଼ତା ବଢ଼ି ଯାଇଥିଲା। ପ୍ରଶାସନ ତରଫରୁ ଯେତେବେଳେ ବୁଲା ଗାଈଗୋରୁଙ୍କ ସହ ସେହି ୪ଟି ଗାଈଙ୍କୁ କାଞ୍ଜିଆହୁଦା ପଠାଇ ଦିଆଗଲା ତରାସ ଦୁଃଖରେ ଭାଙ୍ଗି ପଡ଼ିଲେ।

ସେହି ଗାଈଙ୍କ ବିନା ସେ ବଞ୍ଚିପାରିବେନି ବୋଲି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ନିକଟରେ ଗୁହାରୀ କରିଛନ୍ତି। ସୁବର୍ଣ୍ଣପୁର ସହରରେ ବୁଲା ଗାଈଗୋରୁଙ୍କ ସଂଖ୍ୟା ବଢ଼ିବା ପରେ ପ୍ରଶାସନ ପକ୍ଷରୁ ସେମାନଙ୍କୁ କାଞ୍ଜିଆହୁଦାକୁ ନେଇ ଛଡ଼ା ଯାଇଛି। ଦୁଇ ମାସ ତଳେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ବେଳେ ତରାସ ତାଙ୍କର ସେହି ୪ ଗାଈଙ୍କୁ ଫେରି ପାଇବା ପାଇଁ ବିଭିନ୍ନ ଅଫିସ୍ ଘୁରି ବୁଲିଥିଲେ। କିନ୍ତୁ କିଛି ଲାଭ ହୋଇ ନଥିଲା। ତେଣୁ ଶେଷରେ ସେ ଆଜି ଜିଲ୍ଲାପାଳ ଅଫିସ୍ ଆସି ତାଙ୍କ କାର୍ ସମ୍ମୁଖରେ ଶୋଇ ତାଙ୍କ ଗାଈମାନଙ୍କୁ ଛାଡ଼ିଦେବାକୁ କାନ୍ଦି କାନ୍ଦି ଗୁହାରି କରିଥିଲେ। ବୁଲା ଗାଈଙ୍କ ପ୍ରତି ତରାସଙ୍କ ଏ ପ୍ରକାର ଭଲ ପାଇବା ଦେଖି ଜିଲ୍ଲାପାଳ ଅବୋଲି ସୁନୀଲ ନରୱାଣେ ବି ଶେଷରେ ତରଳି ଯାଇଥିଲେ। ଏବଂ ଖୁବ୍ଶୀଘ୍ର ତାଙ୍କୁ ତାଙ୍କର ସମସ୍ତ ଗାଈଙ୍କୁ ଫେରାଇ ଦିଆଯିବ ବୋଲି ଦେଇଥିଲେ ।

Related Posts