ଓଡ଼ିଶାକୁ ୯,୭୩୪ କୋଟି ଟଙ୍କାର ରେଳ ଅନୁଦାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କିଛି ଦିନ ପୂର୍ବରୁ ୨୦୨୨-୨୩ ବର୍ଷ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ପାରିତ କରିଛନ୍ତି । ଏହା ମଧ୍ୟରେ ଓଡ଼ିଶାର ରେଳ ଭିତ୍ତିଭୂମିର ବିକାଶ ପାଇଁ ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୯ ହଜାର ୭୩୪ କୋଟି ଟଙ୍କା ଅନୁଦାନ ମିଳିଛି । ସେପଟେ ଗତ ବର୍ଷ ଠାରୁ ଚଳିତଥର ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୋଦି ସରକାର ପୂର୍ବୋଦୟ ମିଶନରେ ଓଡିଶାରେ ରେଳ ଭିତ୍ତିଭୂମିର ବିକାଶକୁ ସର୍ବାଧିକ ପ୍ରାଥମିକତା ଦେଇଛନ୍ତି । ଏହି ରେକର୍ଡ ସଂଖ୍ୟକ ଅର୍ଥ ରାଜ୍ୟରେ ରେଳ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ସହ ରାଜ୍ୟରେ ରେଳ ଭିତ୍ତିଭୂମିକୁ ସୁଦୃଢ କରିବ ଓ ଯାତ୍ରୀଙ୍କ ଗମନାଗମନକୁ ସୁଗମ କରିବ । ଓଡିଶା ତଥା ପୂର୍ବ ଭାରତର ବିକାଶ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରାଥମିକତାରେ ରହିଛି ।

ମୋଦି ସରକାରରେ ବିଗତ ୭ ବର୍ଷରେ ରେଳବାଇ କ୍ଷେତ୍ରରେ ଓଡିଶା ପ୍ରତି ଦୀର୍ଘ ଦିନର ଅବହେଳାକୁ ଦୂର କରାଯାଇ ରାଜ୍ୟକୁ ପ୍ରଚୁର ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି ।୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬ ହଜାର ୯୯୫.୫୮ କୋଟି ଟଙ୍କା ଅନୁଦାନ ମିଳିଥିଲା। ହେଲେ ଚଳିତ ବର୍ଷ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ ଅଧିକ ଅନୁଦାନ ବଢିଛି । ଚଳିତଥର ବାସ୍ତବ ସ୍ଥିତି ଓ ପ୍ରକଳ୍ପର କାମକୁ ତ୍ୱରାନ୍ୱିତ କରିବା ଆଧାରରେ ବଜେଟ୍ ପୂର୍ଣ୍ଣାଙ୍ଗ ହୋଇଛି । ପ୍ରତି ପ୍ରକଳ୍ପର ଆବଶ୍ୟକତା ବିଚାରକୁ ନିଆଯାଇ ଅର୍ଥ ଅନୁଦାନ ଦିଆଯାଇଛି । ମିଶନ ପୂର୍ବଦୋୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କଳ୍ପନା କରାଯାଇଥିବା ବେଳେ ଦେଶର ବିକାଶ ପୂର୍ବ ଭାରତର ନେତୃତ୍ୱ ଦ୍ୱାରା ସମ୍ଭବ ବୋଲି ଏହା ସୁନିଶ୍ଚିତ କରୁଛି ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Related Posts