ପଦ୍ମଭୂଷଣ ପୁରଷ୍କାର କୌଣସି ରାଜନୈତିକ ଦଳର ନୁହଁ ବରଂ ଦେଶର; ତେଣୁ ଏଥିରେ ମୁଣ୍ଡଖେଳାଇବା ଉଚିତ ନୁହଁ: ଗୁଲାମ ନବୀ ଆଜାଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ଗତକାଲି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମଭୂଷଣ ପୁରସ୍କାର ଗ୍ରହଣ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା । କିଏ ଏହାକୁ ପରିଶ୍ରମର ଫଳ କହୁଥିବାବେଳେ ଆଉ କିଏ ଏହାକୁ ନେଇ ସମାଲୋଚନା କରୁଥିବାର ଦେଖିବାକୁ ମିଳିଛି । ଏପରିକି କଂଗ୍ରେସ ଦଳର ଅନେକ ନେତା ମଧ୍ୟ ଆଜାଦଙ୍କୁ ସମାଲୋଚନା କରିବାକୁ ପଛେଇ ନଥିଲେ । ଏହା ମଧ୍ୟରେ ଗୁଲାମ ନବୀ ଆଜାଦ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ପଦ୍ମଭୂଷଣ ପୁରସ୍କାର କୌଣସି ରାଜନୈତିକ ଦଳ କିମ୍ବା ସରକାରର ନୁହଁ । ଏହା ହେଉଛି ଦେଶର ସମ୍ମାନ । ତେଣୁ ଏହାକୁ ନେଇ ମୁଣ୍ଡପୁରାଇବା ଉଚିତ ନୁହଁ ବୋଲି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ।

ସେପଟେ ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରୁଥିବା ଲୋକଙ୍କୁ ଦେଶ ଚିହ୍ନୁଛି, ସେମାନଙ୍କୁ ସମ୍ମାନିତ କରୁଛି, ପୁରସ୍କୃତ କରୁଛି, ଫଳରେ ସେଥିରେ ଅଧିକ ଭଲ କାମ କରିବାକୁ ଆଗ୍ରହ ସୃଷ୍ଟି ହେଉଛି। କାହାକୁ କ’ଣ ମିଳିଲା ସେଥିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ। କାରଣ ଏହି ସମ୍ମାନ ଦେଶ ଦେଉଛି, କୌଣସି ରାଜନୈତିକ ଦଳ ନୁହେଁ । ମୋ’ ଜୀବନର ବିଭିନ୍ନ ସୋପାନରେ ମୁଁ ବହୁତ ଉତଥାନ ପତନ ଦେଖିଛି । ହେଲେ ସବୁବେଳେ ଲୋକଙ୍କ ପାଇଁ କାମ କରିବାକୁ ଚେଷ୍ଟା ଜାରି ରଖିଛି। ତାହା ସାମାଜିକ ତଥା ରାଜନୈତିକ କ୍ଷେତ୍ରରେ ହୋଇପାରେ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି । ଅନ୍ୟପଟେ କଂଗ୍ରେସ ପାର୍ଟିର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ୪ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା ରାଜନୀତିରେ ସକ୍ରିୟ ଅଛନ୍ତି। ସେ ୨ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୫ ଥର ରାଜ୍ୟସଭାକୁ ମନୋନୀତ ହୋଇ ସାରିଛନ୍ତି।

Related Posts