ମାନଙ୍କ ବଡ଼ ଘୋଷଣା; ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦେବ ପଞ୍ଜାବ ସରକାର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପଦ ସମ୍ଭାଳିବା ଦିନ ଠାରୁ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ବିଭିନ୍ନ ସରକାରୀ ବିଭାଗରେ କାମ କରୁଥିବା ପ୍ରାୟ ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ମିଳିବ ବୋଲି ସେ କହିଛନ୍ତି। ଗ୍ରୁପ ସି’ ଓ ଗ୍ରୁପ ଡି’ର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରାଯିବ। ସରକାରୀ ବିଭାଗର ଗ୍ରୁପ ସି’ ଠିକା କର୍ମଚାରୀମାନେ ସାଧାରଣତଃ କ୍ଲରିକାଲ କାର୍ୟ୍ୟ କରନ୍ତି। ସେହିପରି ଗ୍ରୁପ୍ ଡି’ କର୍ମଚାରୀମାନେ ରକ୍ଷାଣବେକ୍ଷାଣ ଓ ଶ୍ରମିକ ଭାବେ ଦାୟିତ୍ୱ ସମ୍ପାଦନ କରନ୍ତି। ସେମାନଙ୍କୁ ଏବେ ପଞ୍ଜାବର ଆପ୍ ସରକାର ସ୍ଥାୟୀ ସରକାରୀ ଚାକିରିଆର ମାନ୍ୟତା ଦେବେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି ।

ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାନ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏସଂକ୍ରାନ୍ତରେ ଗୋଟିଏ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବାକୁ କହିଛନ୍ତି। ଏହାକୁ ପଞ୍ଜାବର ବିଧାନସଭା ଅଧିବେଶନ ବେଳେ ଗୃହରେ ଉପସ୍ଥାପନ କରାଯିବ। ସେପଟେ ଗତ ସପ୍ତାହରେ ମାନ ତାଙ୍କ ପ୍ରଥମ କ୍ୟାବିନେଟ ବୈଠକରେ ୨୫ ହଜାର ସରକାରୀ ଚାକିରି ସୁଯୋଗ ସୃଷ୍ଟି କରିବା ପ୍ରସ୍ତାବ ଉପରେ ମୋହର ମାରିଥିଲେ। ଏହା ମଧ୍ୟରୁ କେବଳ ୧୦ ହଜାର ନିଯୁକ୍ତି ପୁଲିସ୍ ବିଭାଗରେ ସୃଷ୍ଟି ହେବ। ଏସଂକ୍ରାନ୍ତରେ ବିଜ୍ଞପ୍ତି ମାସକ ମଧ୍ୟରେ ପ୍ରକାଶ ପାଇବ ବୋଲି ଭଗୱନ୍ତ ମାନ ସ୍ପଷ୍ଟ କରିଥିଲେ ।

Related Posts