ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଏତେ ସାହାସ ନାହିଁ ଯେ, ସେ ଆଇସିସି ଟୁର୍ଣ୍ଣାମେଣ୍ଟକୁ ବୟକଟ୍ କରି ପାରିବ

ନୂଆଦିଲ୍ଲୀ: ପାକିସ୍ତାନ ଯିବନି ଭାରତୀୟ କ୍ରିକେଟ ଟିମ୍। ଏନେଇ ସୂଚନା ପ୍ରକାଶ ପାଇବା ପରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ରମିଜ୍ ରାଜା ଟାର୍ଗେଟ୍ କରିଛନ୍ତି । ଯେସାକୁ ତେସା ନୀତିରେ ପାକିସ୍ତାନ ୨୦୨୩ରେ ଭାରତରେ ଖେଳାଯିବାକୁ ଥିବା ବିଶ୍ଵ କପ୍‌ରେ ଭାଗ ନେବ ନାହିଁ। ଶୁକ୍ରବାର ଏକ ସାକ୍ଷାତକାରରେ ଏହା କହିଥିଲେ । ରମିଜ୍ ରାଜାଙ୍କ ଏହି ବୟାନ ଉପରେ ଭାରତର କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ସହିତ ଅନେକ ବରିଷ୍ଠ ଖେଳାଳି କଡା ପ୍ରତିକ୍ରିୟା ଦେଇଛନ୍ତି।

ଭାରତରେ ରମିଜ ରାଜାଙ୍କୁ ତାଙ୍କର ଏହି ବୟାନ ପାଇଁ ବହୁତ ଟ୍ରୋଲ କରାଯାଉଛି। ଅନ୍ୟପଟେ ପାକିସ୍ତାନର ପୂର୍ବତନ କ୍ରିକେଟର ଦାନିସ କାନେରିଆ ମଧ୍ୟ ମତ ରଖିଛନ୍ତି। ତାଙ୍କର କହିବା କଥା ପାକିସ୍ତାନ ନିକଟରେ ଆଗାମୀ ବିଶ୍ଵ କପ୍‌ ବହିଷ୍କାର କରିବାର ସାହାସ ନାହିଁ।

କାନେରିଆ କହିଛନ୍ତି, ପାକିସ୍ତାନ କ୍ରିକେଟ୍ ବୋର୍ଡରେ ଏତେ ସାହାସ ନାହିଁ ଯେ, ସେ ଆଇସିସି ଟୁର୍ଣ୍ଣାମେଣ୍ଟକୁ ବୟକଟ୍ କରି ପାରିବ। ଅନ୍ୟପଟେ ପାକିସ୍ତାନ ନଆସିଲେ ବି ଭାରତକୁ କିଛି ଫରକ ପଡିବ ନାହିଁ। ତାଙ୍କ ନିକଟରେ ବହୁତ ବଡ ବଜାର ରହିଛି, ଯାହା ବିସିସିଆଇକୁ ବହୁତ ରାଜସ୍ଵ ଦେଉଛି। ବିଶ୍ଵ କପ୍‌ ପାଇଁ ଭାରତ ଯାତ୍ରା ନକଲେ ଓଲଟା ପାକିସ୍ତାନକୁ କ୍ଷତି ସହିବାକୁ ପଡିବ।

ସେ ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ବାଧ୍ୟ ହୋଇ ବିଶ୍ଵ କପ୍‌ ଖେଳିବାକୁ ଭାରତ ଯିବ। ଆଇସିସିର ଚାପ ପରେ ଅଧିକାରୀ କହିବେ, ତାଙ୍କ ପାଖରେ ଆଉ କୌଣସି ବିକଳ୍ପ ନଥିଲା। ଯଦି ପାକିସ୍ତାନ ବାରମ୍ବାର ଆଇସିସିର ଟୁର୍ଣ୍ଣାମେଣ୍ଟରୁ ହଟିବା କଥା କହିବ ତେବେ ପାକିସ୍ତାନ କ୍ରିକେଟ୍‌ର ବହୁତ କ୍ଷତି ଘଟିବ।

ସୂଚନାଯୋଗ୍ୟ, ୨୦୨୩ରେ ପାକିସ୍ତାନର ଏସିଆ କପ୍ ଖେଳାଯିବ। ଏହା ପରେ ଉକ୍ତ ବର୍ଷ ଦିନିକିଆ ବିଶ୍ଵ କପ୍ ଭାରତରେ ଖେଳାଯିବ। ତେବେ ବିସିସିଆଇର ସାଧାରଣ ସଂପାଦକ କହିଥିଲେ ଯେ, ଭାରତ ଏସିଆ କପ୍ ଖେଳିବାକୁ ପାକିସ୍ତାନ ଗସ୍ତ କରିବ ନାହିଁ। ତେଣୁ ଟୁର୍ଣ୍ଣାମେଣ୍ଟ ନିରପେକ୍ଷ ସ୍ଥାନରେ ଖେଳାଯାଉ। ତାଙ୍କର ଏହି ବୟାନ ପରେ ରମିଜ୍ ରାଜାଙ୍କ ଉପରୋକ୍ତ ବୟାନ ସାମ୍ନାକୁ ଆସିଥିଲା।

Related Posts