କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଲା ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା

ଭୁବନେଶ୍ବର: କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ମିଳିଲା ସହାୟତା। ମଧ୍ୟବର୍ତ୍ତୀ କାଳୀନ ସହୟତା ଭାବରେ ରାଜ୍ୟସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ତୋଳାଳୀମାନେ ୧୦୦୦ ଟଙ୍କା ଲେଖାଏ ପାଇଥିବାବେଳେ ବନ୍ଧାଳୀ ଓ ସିଜିନାଲ କର୍ମଚାରୀଙ୍କୁ ୧୫୦୦ ଟଙ୍କା ଲେଖାଏ ମିଳିଛି। ଆଜି ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏହି ସହାୟତା ବଣ୍ଟନ କରିଛନ୍ତି।

ହିତାଧିକାରୀଙ୍କ ଖାତାକୁ ୪୩ କୋଟି ଟଙ୍କା ଦିଆଗଲା । ଡିବିଟି ଜରିଆରେ ଏହି ସହାୟତା ହିତାଧିକାରୀଙ୍କ ବ୍ଯାଙ୍କ ଖାତାରେ ଜମା ହୋଇଥିଲା।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକର ଖୁସି ହିଁ ତାଙ୍କର ସବୁଠାରୁ ବଡ ଖୁସି। ଗରିବ ଲୋକଙ୍କ ସହ ସେ ସବୁବେଳେ ରହିଛନ୍ତି ଓ ସେମାନଙ୍କ କଲ୍ଯାଣ ପାଇଁ ତାଙ୍କର ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଉପନିର୍ବାଚନ ଆଚରଣବିଧି ଉଠିବା ପରେ ବରଗଡ ଜିଲ୍ଲାର ତୋଳାଳୀ ଓ ଅନ୍ଯ କେନ୍ଦୁପତ୍ର କର୍ମଚାରୀମାନଙ୍କୁ ଏ ସବୁ ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। କେନ୍ଦୁପତ୍ର ହେଉଛି ଗରିବ ଲୋକର ଦାନା ପାଣିର କଥା। ତେଣୁ ତା ଉପରେ ୧୮% ଜିଏସ୍‌ଟି କୁ ନାପସନ୍ଦ କରି ଏହାର ସମ୍ପୂର୍ଣ୍ଣ ଉଛେଦ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ କେନ୍ଦ୍ର ନିକଟରେ ଦାବି କରିଥିଲେ।

ଆଜି ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, କନ୍ଧମାଳ, ବୌଦ୍ଧ, କେଉଁଝର, ଦେବଗଡ଼ ଓ ବଲାଙ୍ଗୀର ଆଦି ବାର ଜିଲ୍ଲାର ସତର ଡିଭିଜନର ହିତାଧିକାରୀମାନଙ୍କୁ ଆଜି ସହାୟତା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ କେନ୍ଦୁପତ୍ର ତୋଳାଳୀ ଓ କର୍ମଚାରୀଙ୍କ କଲ୍ଯାଣ ପାଇଁ ସରକାରଙ୍କ ପଦକ୍ଷେପ ଉପରେ ଆଲୋକପାତ ସୂଚନା କରିଥିଲେ। ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ଡାଃ ମୋନା ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ଜଙ୍ଗଲ ପରିବେଶ ବିଭାଗର ବରିଷ୍ଠ ଅଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଲାଙ୍ଗୀର ହିତାଧିକାରୀ ଶାନ୍ତନୁ କୁମାର ଭୋଇ, ଝାରସୁଗୁଡ଼ାର ପୁଷ୍ପ ଲତା ଭଇଁଶା ଓ ନୂଆପଡ଼ାର ଈଶ୍ଵର ଶବରଙ୍କ ସହ ସହାୟତା ବିଷୟରେ ଆଲୋଚନା କରି ଏହି ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ। ପିସିସିଏଫ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନାଯୋଗ୍ୟ ଯେ ଗତ ତେଇଶି ତାରିଖ ଦିନ ମୁଖ୍ୟମନ୍ତ୍ରୀ ଏ ସହାୟତା ବିଷୟ ଘୋଷଣା କରିଥିଲେ

Related Posts