“ଜନତା ତେଜସ୍ବୀଙ୍କୁ ବାଛିଥିଲେ କିନ୍ତୁ ସରକାରୀ କଳର ଦୂରୁପଯୋଗ କରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନିତୀଶ କୁମାର ” – ବିଜେପି ବିଧାୟକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିହାର ବିଜେପିର ବିଧାନ ପାରିଷଦ(MLC) ଟୁନ୍ନା ପାଣ୍ଡେଙ୍କ ବୟାନକୁ ନେଇ ଏବେ ବିହାର ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଗତକାଲି ସେ ନ୍ୟୁଜ୍ ଏଜେନ୍ସି ANI କୁ କହିଥିଲେ ଯେ ନିତୀଶ କୁମାର ମୋର ନେତା ନୁହନ୍ତି। ସେ ଜଣେ ‘ପରିସ୍ଥିତି ଜନକ’ ମୁଖ୍ୟମନ୍ତ୍ରୀ। ସେ ଆହୁରି ମଧ୍ୟ କହିଛନ୍ତି ଯେ ,” ଏହି ସତ କଥା କହିଥିବାରୁ ପୂର୍ବତନ ସାଂସଦ ଶାହାବୁଦ୍ଦିନଙ୍କୁ ଦଣ୍ଡ ମିଳିଥିଲା। ମହା ଗଠବନ୍ଧନ ସହିତ ମୋର କୌଣସି ସମ୍ପର୍କ ନାହିଁ, ମୁଁ କେବଳ ବିଜେପିର ଜଣେ ନେତା।” ଏହା ପୂର୍ବରୁ ସେ ଟ୍ବିଟ୍ କରି କହିଥିଲେ ଯେ ,” ମୁଁ ଯାହା କହିଛି ତାହା ସତ। ଚଳିତ ଥର ବିଧାନସଭା ନିର୍ବାଚନରେ ​​ଜନସାଧାରଣ ଭୋଟ୍ ଦେଇ ତେଜସ୍ବୀ ଯାଦବଙ୍କୁ ବାଛିଥିଲେ, କିନ୍ତୁ ସରକାରୀ କଳର ଅପବ୍ୟବହାର କରି ନିତୀଶ କୁମାର ଆଜି କ୍ଷମତାରେ ଅଛନ୍ତି।”

ଏହା ପରେ ଏନଡିଏର ସହଯୋଗୀ ଅର୍ଥାତ୍ ଜେଡିୟୁ ସଂସଦୀୟ ବୋର୍ଡ ସଭାପତି ଉପେନ୍ଦ୍ର କୁଶବାହା ଟୁନା ପାଣ୍ଡେଙ୍କ ଏହି ବୟାନକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଥିଲେ। ସେ ବିହାର ବିଜେପି ସଭାପତି ସଞ୍ଜୟ ଜେସୱାଲଙ୍କୁ ଟ୍ବିଟ୍ କରି କହିଛନ୍ତି ,” ଏହି ବୟାନ ଆପଣଙ୍କ ପାଖରେ ବି ପହଞ୍ଚି ଯାଇଥିବ । ଯଦି କୌଣସି ଜେଡିୟୁ ନେତା ବିଜେପି କିମ୍ବା ତାଙ୍କର କେହି ନେତାଙ୍କ ବିଷୟରେ ଏଭଳି ବୟାନ ଦେଇଥାନ୍ତେ ତେବେ ବର୍ତ୍ତମାନ ପର୍ଯ୍ୟନ୍ତ..! ” ତେବେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ପାଣ୍ଡେଙ୍କୁ ବିଜେପି କାରଣ ଦର୍ଶାଅ ନୋଟିସ ଜାରି କରିଛି । ସିୱାନର ବାସିନ୍ଦା ଟୁନା ପାଣ୍ଡେ ବିଜେପିର ଜଣେ ଏମଏଲସି ହୋଇଥିବାବେଳେ ତାଙ୍କ ଭାଇ ବଚ୍ଚା ପାଣ୍ଡେ ବାଡିହରିଆର ବିଧାନସଭା ଆସନରୁ ଆରଜେଡି ବିଧାୟକ ଅଛନ୍ତି । 2016 ରେ, ଟୁନା ପାଣ୍ଡେଙ୍କ ବିରୋଧରେ ଟ୍ରେନ୍ ଯାତ୍ରା ସମୟରେ ନିର୍ଯାତନା ଅଭିଯୋଗ ହୋଇଥିଲା। ଏହି ମାମଲାରେ ତାଙ୍କୁ ଜେଲ ଦଣ୍ଡ ମଧ୍ୟ ଭୋଗିବାକୁ ପଡିଥିଲା। କୁହାଯାଉଛି ଯେ ସେବେଠାରୁ ଟୁନ୍ନା ପାଣ୍ଡେ ମୁଖ୍ୟମନ୍ତ୍ରୀ ଏବଂ ନିଜ ଦଳର ନେତାଙ୍କ ଉପରେ ରାଗିଛନ୍ତି। ସେ ସମୟ ସମୟରେ ପାର୍ଟି ଲାଇନ ବାହାରକୁ ଯାଇ ବୟାନ ଦିଅନ୍ତି ।

Related Posts