
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡକାୟତି ପାଇଁ ଯୋଜନା ଚାଲିଥିବା ବେଳେ ମାଡି ବସିଲା ପୁଲିସ, ଫେଲ୍ ମାରିଲା ମିଶନ। କମିସନରେଟ ପୁଲିସ ୪ ଜଣ ଡକାୟତଙ୍କୁ ମଧ୍ୟରାତ୍ରିରେ ଗିରଫ କରିଛି। ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ମାରଣାସ୍ତ୍ର ମଧ୍ୟ ଜବତ କରିଛି।
ମିଳିଥିବା ସୂଚନା ଅନୁସାରେ, ଖଣ୍ଡଗିରି ଥାନା ଅନ୍ତର୍ଗତ ଆଇଗଣିଆ ମସାଣି ପଡ଼ିଆରେ ମଧ୍ୟରାତ୍ରିରେ ୪ ଜଣ ଅଭିଯୁକ୍ତ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ନେଇ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ପାଟ୍ରୋଲିଂ ସମୟରେ ଘଟଣାସ୍ଥଳରେ ଅତର୍କିତ ଭାବେ ଚଢ଼ଉ କରିଥିଲା। ଅଭିଯୁକ୍ତମାନେ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୁଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଅଭିଯୁକ୍ତମାନଙ୍କ ଠାରୁ ପୁଲିସ କଟୁରୀ, ଲଙ୍କାଗୁଣ୍ଡ, ଲୁହା ରଡ଼ ଓ ଏକ ବାଇକ୍ ଜବତ କରିଛି।
ଏନେଇ ପୁଲିସ କହିଛି ଯେ, ଆଇଗଣିଆ ମସାଣି ପଡିଆରେ ଡକାୟତି ଯୋଜନା କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ଆଧାରରେ ଚଢ଼ଉ କରାଯାଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କର ଠାରୁ କଟୁରୀ, ଲଙ୍କାଗୁଣ୍ଡ, ଲୁହା ରଡ଼ ଓ ଏକ ବାଇକ୍ ଜବତ କରାଯାଇଛି। ପୁଲିସ ଆହୁରି ମଧ୍ୟ କହିଛି ଯେ, ଅଭିଯୁକ୍ତମାନେ ଦିନରେ ଖଣ୍ଡଗିରି ଅଞ୍ଚଳରେ ବୁଲି ରେକି କରନ୍ତି। ରାତିରେ ଡକାୟତି କରିବା ପାଇଁ ଯୋଜନା କରନ୍ତି। ଅଭିଯୁକ୍ତଙ୍କ ନାଁରେ କମିସନରେଟ ପୁଲିସରେ ବିଭନ୍ନ ଥାନାରେ ଏକାଧିକ ମାମଲା ରହିଛି।