
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜସ୍ଥାନ କଂଗ୍ରେସରେ କନ୍ଦଳ ଥମିବାର ନାଁ ଧରୁନାହିଁ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଟଲଙ୍କ ଗୋଷ୍ଠୀ ମଧ୍ୟରେ କ୍ଷମତା ପାଇଁ ଲଢେଇ ଚାଲିଥିବାବେଳେ କଂଗ୍ରେସର ବରିଷ୍ଠ ନେତା ଅଜୟ ମାକେନ ରାଜସ୍ଥାନ କଂଗ୍ରେସ ପ୍ରଭାରୀ ପଦରୁ ଇସ୍ତଫା ଦେଇଛନ୍ତି । ସୂତ୍ର ଅନୁସାରେ, ଗତ ସେପ୍ଟେମ୍ୱର ମାସରୁ ଆରମ୍ଭ ହୋଇଥିବା ରାଜନୈତିକ ଡ୍ରାମାକୁ ନେଇ ମାକେନ ଅସନ୍ତୁଷ୍ଟ ଥିଲେ। ତାଙ୍କ ବୈଠକକୁ ଗେହଲଟ ସମର୍ଥିତ ବିଧାୟକ ନଆସି ଅନ୍ୟତ୍ର ବୈଠକ କରିଥିଲେ। ଏହି ବିଧାୟକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ଅଜୟ ମାକେନ।
ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପ୍ରାର୍ଥୀ ହୋଇଥାନ୍ତେ । କିନ୍ତୁ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛଡିବାକୁ ପଡିଥାନ୍ତା । ଏସଆଇସିସି ମଧ୍ୟ ସମସ୍ତ ପ୍ରସ୍ତୁତି କରିଥିଲା । ହେଲେ ନୂତନ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ହେବାକୁ ଥିବା ବୈଠକ ପୂର୍ବରୁ କଂଗ୍ରେସ ବିଧାୟକମାନେ ଏହାକୁ ବିରୋଧ କରିଥିଲେ । ଅଶୋକ ଗେହଲଟଙ୍କ ସମର୍ଥନରେ ଥିବା ୯୦ ବିଧାୟକ ବୈଠକରେ ସାମିଲ ହେବାକୁ ମନା କରିଥିଲେ । ଏପରିକି ବାଚସ୍ପତିଙ୍କୁ ନିଜ ଇସ୍ତଫା ଦେବା ପାଇଁ ମଧ୍ୟ ବାହାରିଥିଲେ ।
ଏହି ଘଟଣାରେ ସମ୍ପୃକ୍ତ ବିଧାୟକଙ୍କ ବିଶୃଙ୍ଖଳାକୁ ନେଇ ତାଙ୍କ ଉପରେ ଦଳର ଶୀର୍ଷ ନେତୃତ୍ୱ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଭାରୀ ଅଜୟ ମାକେନ ଆଶା କରିଥିଲେ । କିନ୍ତୁ ଏପରି କିଛି ହେଲା ନାହିଁ । ଏହି ଘଟଣା ତାଙ୍କୁ ପ୍ରଭାରୀ ପଦ ଛାଡିବାକୁ ବାଧ୍ୟ କରିଥିବା ସୂତ୍ରରୁ ଜଣାପଡିଛି ।