
ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଘମାଘୋଟ ଯୁଦ୍ଧ ମଧ୍ୟରେ ଆଖି ବୁଜିଚ୍ଛି ଜଣେ ଭାରତୀୟ ଛାତ୍ର । ମୃତ ଛାତ୍ର ନବୀନ ଶେଖରପ୍ପା ଜ୍ଞାନଗୌଦର । ସେ କର୍ଣ୍ଣାଟକ ରାଜ୍ୟର ହାଭେରୀ ଜିଲ୍ଲା ଚଲଗେରୀର ବାସିନ୍ଦା ଥିଲେ। ଖାରକିଭରେ ରହି ଡାକ୍ତରୀ ଚତୁର୍ଥ ବର୍ଷ ପଢୁଥିବା ଏହି ଛାତ୍ରଜଣକ ମଙ୍ଗଳବାର ସକାଳେ ଗ୍ରୋସରୀ ଦୋକାନକୁ ଯାଇଥିବା ବେଳେ ଋଷିୟ ସୈନ୍ୟଙ୍କ ଗୁଳିରେ ପ୍ରାଣ ହରାଇଥିବା ବୈଦେଶିକ ମନ୍ତ୍ରାଳୟ ପୁଷ୍ଟି କରିଥିଲେ।
ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ମଙ୍ଗଳବାର ନବୀନଙ୍କ ପରିବାରକୁ ଭେଟି ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୋଲିଫୋନରେ ନବୀନଙ୍କ ପିତା ଶେଖରପ୍ପାଙ୍କ ସହ କଥା ହୋଇଥିବା ବେଳେ ଗଭୀର ସମବେଦନା ଜଣାଇଛନ୍ତି। ଶଖରପ୍ପା ଜଣେ ଚାଷୀ ଓ ସେ ତାଙ୍କର ଗୋଟିଏ ପୁଅକୁ ଇଞ୍ଜିନିୟର କରିଥିବା ବେଳେ କନିଷ୍ଠ ପୁତ୍ର ୟୁକ୍ରେନ ମେଡିକାଲ କଲେଜରେ ମିଡିସିନ ବିଭାଗର ଛାତ୍ରଥିଲେ।
ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବା ବେଳେ ତାଙ୍କ ପୁଅ ସବୁଦିନ ତାଙ୍କ ସହ ସମ୍ପର୍କରେ ରହୁଥିବାର କହିଥିଲେ। ଏପରିକି ସୋମବାର ମଧ୍ୟ ସେ ପିତାଙ୍କ ସହ କଥା ହୋଇଥିଲେ ଯେଉଁଥିରେ ତାଙ୍କୁ ପୂର୍ବ ୟୁକ୍ରେନରୁ କୌଣସି ପ୍ରକାରେ ପଶ୍ଚିମକୁ ଚାଲି ଆସିଲେ ଯୁଦ୍ଧଗ୍ରସ୍ତ ଦେଶରୁ ସହଜରେ ବାହାର କରାଯାଇପାରିବ ବୋଲି କୁହାଯାଉଥିବା କହିଥିଲେ। କିଛି ଛାତ୍ର ଏଥିରେ ୟୁକ୍ରେନରୁ ବାହାରି ସାରିଥିବାର ବି କହିଥିଲେ। ତେବେ ସେମାନେ ରହୁଥିବା ସ୍ଥାନରୁ ଷ୍ଟେସନ ୭-୮ କିଲୋମିଟର ଦୂର ହୋଇଥିବା ବେଳେ କ୍ୟାବ୍ ଅଧିକ ଅର୍ଥ ଦାବି କରୁଥିବାରୁ ଓ ଅନବରତର ଋଷିଆ ଗୋଳା ବର୍ଷା କରୁଥିବାରୁ ଯିବା ସମ୍ଭବ ହେଉନଥିବା ପିତାଙ୍କୁ କହିଥିଲେ ।