
ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ ଜାରି ରଖିଥିବା ବେଳେ, ସେପଟେ ୟୁକ୍ରେନ ସଙ୍କଟକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସମ୍ବୋଧନ କରିଛନ୍ତି । ଏଥିସହ ୟୁକ୍ରେନ କୁ ସମର୍ଥନ କରିବା ସହ ଋଷ ଉପରେ ବର୍ଷିଛନ୍ତି । ସେ କହିଛନ୍ତି, ଆମେରିକା ୟୁକ୍ରେନ୍ ସହିତ ରହିଛି । ପୁଟିନ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭୁଲ, ତା ଠାରୁ ଆଉ ଏକ ବଡ଼ ଭୁଲ ହେଲା ୟୁକ୍ରେନକୁ ଦୁର୍ବଳ ଭାବୁଛନ୍ତି ଭ୍ଲାଦିମିର ପୁଟିନ୍ । ଋଷର ଏଭଳି ମନଇଚ୍ଛା କାମକୁ ଆଉ ବରଦାସ୍ତ କରାଯିବନି । ଆକ୍ରମଣ ପାଇଁ ପୁଟିନଙ୍କୁ ବହୁମୂଲ୍ୟ ଦେବାକୁ ପଡିବ ।
ସେପଟେ, ଋଷ ଉପରେ ଆର୍ଥିକ କଟକଣା ଲଗାଇଛି ଆମେରିକା । ଋଷର ଆର୍ଥିକ ସ୍ଥିତି ଭୁଶୁଡି ଯାଇଛି । ଆମେରିକା ଡଲାର ତୁଳନାରେ ରୁଷ ମୁଦ୍ରା “ରୁବେଲ”ର ମୂଲ୍ୟ ହ୍ରାସ ପାଇଛି । ଗୋଟିଏ ଆମେରିକୀୟ ଡଲାର ପାଇଁ ଏବେ ୧୧୭ “ରୁବେଲ” ଗଣିବାକୁ ପଡୁଛି । ସେପଟେ ରୁଷର ଲୋକେ ଅର୍ଥନୀତି ଭୁଶୁଡିଥିବା ଜାଣି ନଗଦ ଟଙ୍କା ଉଠାଇବାକୁ ବ୍ୟାଙ୍କ ଏଟିଏମ ଆଗରେ ଗହଳି କରୁଛନ୍ତି । ଋଷିଆ ବିମାନ ପାଇଁ ଏୟାରବେସ୍ ବନ୍ଦ କରାଯାଇଛି । ୟୁକ୍ରେନକୁ ୧ବିଲିୟନ୍ ଡଲାର ସହାୟତା ଦେବ ଆମେରିକା ।
ଅନ୍ୟପଟେ, ୟୁକ୍ରେନର ଯୁଦ୍ଧ ଆତଙ୍କ ଭିତରେ, କିଭରୁ ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର କରାଯାଇଥିବା ସୂଚନା ଦେଇଛନ୍ତି ଭାରତର ବୈଦେଶିକ ସଚିବ ଏଚଭି ଶ୍ରିଙ୍ଗଲା । କହିଛନ୍ତି, ଉଦ୍ଧାର ହୋଇଥିବା ଛାତ୍ରଛାତ୍ରୀଙ୍କୁ ଭାରତ ଫେରାଇ ଆଣିବା ପାଇଁ ପଡୋଶୀ ଦେଶର ସୀମା ନିକଟକୁ ନିଆଯାଉଛି । ସ୍ୱତନ୍ତ୍ର ବିମାନ ସହାୟତାରେ ଖୁବ୍ ଶୀଘ୍ର ସେମାନଙ୍କୁ ସ୍ୱଦେଶକୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯାଉଛି । ଏଥିସହ ୟୁକ୍ରେନରେ ମୃତ୍ୟୁବରଣ କରିଥିବା ଭାରତୀୟ ଛାତ୍ର ନବୀନଙ୍କ ମୃତ ଦେହକୁ ମଧ୍ୟ ଆଣିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି ସେ କହିଛନ୍ତି । ଋଷର ବୋମାମାଡରେ ଆଜି ଜଣେ ୟୁକ୍ରେନରେ ପାଠପଢ଼ୁଥିବା ଭାରତୀୟ ଛାତ୍ର ନବୀନଙ୍କର ମୃତ୍ୟୁ ହୋଇଛି ।