ନୂଆଦିଲ୍ଲୀ: ଉଦ୍ଘାଟିତ ହୋଇଛି ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ । ଦିଲ୍ଲୀର ନେହେରୁ ସ୍ମାରକ ମ୍ୟୁଜିୟମ ଓ ଲାଇବ୍ରେରୀ ପରିସରରେ ଏହା ନିର୍ମାଣ କରାଯାଇଛି । ଦିଲ୍ଲୀର ଯେଉଁ ତିନିମୂର୍ତ୍ତି ଭବନ ଆଜି ପର୍ଯ୍ୟନ୍ତ ନେହେରୁ ମେମୋରିଆଲ ମ୍ୟୁଜିୟମ ଭାବେ ପରିଚିତ ଥିଲା ଏହା ଏବେ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭାବେ ପରିଚତ ହେବ । ଜାତୀୟ ରାଜଧାନୀ ଦିଲ୍ଲୀରେ ଆଜି (ଗୁରୁବାର) ତିନି ମୂର୍ତ୍ତୀ ମାର୍ଗରେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଂଗ୍ରହାଳୟର ଶୁଭ ଉଦଘାଟନ କରିଛନ୍ତି । ସ୍ବାଧୀନ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ମ୍ୟୁଜିୟମକୁ ଉତ୍ସର୍ଗ କରିଛନ୍ତି ମୋଦି । ଏହା ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ଭିତରକୁ ଯିବାକୁ ପ୍ରଥମ ଟିକେଟ କିଣିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ବ, ଦୂରଦୁଷ୍ଟିରେ ଦେଶର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ନିର୍ମାଣ ହୋଇଛି । ଯେଉଁଠାରେ ସେମାନଙ୍କ ବାବଦରେ ବିସ୍ତୃତ ସୂଚନା ସ୍ଥାନିତ ହୋଇଛି । ସାଧାରଣ ଜନତା ସେମାନଙ୍କ ବାବଦରେ ତଥ୍ୟ ପାଇପାରିବେ ।ପ୍ରଧାନମନ୍ତ୍ରୀଙ୍କ ଉପଲବ୍ଧିଗୁଡିକ ବାବଦରେ ଯୁବପିଢିଙ୍କୁ ଅବଗତ କରାଇବା ପାଇଁ ସଂଗ୍ରହାଳୟ ନିର୍ମାଣର ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ତତକାଳୀନ ନେହରୁ ସଂଗ୍ରହାଳୟ ଭବନକୁ ସାମିଲ କରାଯାଇଛି । ସମୁଦାୟ ଦୁଇଟି ବ୍ଲକ 15,600 ବର୍ଗ ମିଟର ଜାଗାରେ ନିର୍ମିତ ହୋଇଛି । ଏହି ସଂଗ୍ରହାଳୟ ଭାରତର ଉଦୀୟମାନ କାହାଣୀ ଦ୍ବାରା ଅନୁପ୍ରାଣିତ ହୋଇଛି । ଏହାର ଲୋଗ ଚକ୍ର ରହିଛି । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ସମ୍ବିଧାନ ଗଠନ ଠାରୁ ଆରମ୍ଭରେ ଭାରତର ପ୍ରଧାନମନ୍ତ୍ରୀମାନଙ୍କ ଅବଦାନ ସଂଗ୍ରହାଳୟରେ ସ୍ଥାନିତ ହୋଇଛି ।
ଏହି ସଂଗ୍ରହାଳୟରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କଠାରୁ ଆରମ୍ଭ କରି ଏବେକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ପର୍ଯ୍ୟନ୍ତ ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଜୀବନ ଦର୍ଶନକୁ ବିସ୍ତାର ଭାବେ ସଂଗୃହିତ କରାଯାଇଛି ।
