ରୋଜା ଖୋଲିବା ସମୟରେ ହଠାତ କିଛି ଲୋକ ଆସି ଜୟ ଶ୍ରୀରାମ କହିବାକୁ କହିଥିଲେ ଏବଂ ଘର ଭାଙ୍ଗିବା ଆରମ୍ଭ କରିଥିଲେ; ଏପରି ଅଭିଯୋଗ କରି ଭାଇରାଲ ହେବାରେ ଲାଗିଛନ୍ତି ମୁସଲମାନ ଯୁବକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାରେ ରାମନବମୀରେ ହୋଇଥିବା ହିଂସାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ସେପଟେ ହିଂସାରେ ସମ୍ପୃକ୍ତ ଲୋକମାନଙ୍କର ଘରମାନଙ୍କୁ ମଧ୍ୟପ୍ରଦେଶ ସରକାର ବିଲଡୋଜର ଲଗାଇ ଭାଙ୍ଗିବାରେ ଲାଗିଛନ୍ତି । ଯାହା ଦେଶର ରାଜନୈତିକ ମାହୋଲକୁ ବେଶ ଚଳଚଞ୍ଚଳ କରି ଦେଇଛି । ଏହା ମଧ୍ୟରେ ହିଂସା ପଛରେ ଅନେକ ଯନ୍ତ୍ରଣାଦାୟକ କାହାଣୀ ସାମ୍ନାକୁ ଆସିବାରେ ଲାଗିଛି । ଏପରିକି ହିଂସାର ଶିକାର ହୋଇଥିବା ଅନେକ ଲୋକଙ୍କ ସହ ହୋଇଥିବା ଅତ୍ୟାଚାରର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ଏପରି ଏକ ଭିଡିଓରେ ଜଣେ ମୁସଲମାନ ଯୁବକ ତାଙ୍କ ସହ ଘଟିଥିବା ଘଟଣା ବିଷୟରେ କହୁଥିବାର ଦେଖିବାକୁ ମିଳିଛି । ସେପଟେ ଅସଦୁଦ୍ଦିନ ଓୱାଇସି ମଧ୍ୟ ଏହି ଭିଡିଓକୁ ରିଟ୍ୱିଟ କରିଛନ୍ତି। ତେବେ ଯଦି ପୋଲିସ ଆସି ନଥାନ୍ତା ତେବେ ଏକ ବଡ ଦୁର୍ଘଟଣା ଘଟିଥାନ୍ତା ଏବଂ ଆମ ମଧ୍ୟରୁ କେହି ବଞ୍ଚି ନଥାନ୍ତେ ବୋଲି ଯୁବକ ଜଣଙ୍କ କହିଛନ୍ତି । ଅନ୍ୟପଟେ ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦ କିଲୋମିଟର ଦୂରରେ ଅବସ୍ଥିତ କୁକଡୋଲର ବେଡି କା ପୁର ଗାଁ ପ୍ରାୟ ୧୦୦୦ ଲୋକ ବସବାସ କରନ୍ତି । ଏହି ଗ୍ରାମରେ ସମୁଦାୟ ତିନି ମୁସଲମାନ ପରିବାର ବାସ କରନ୍ତି ।

ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ଗାଁର ଅବଦୁଲ ମଲିକ କହିଛନ୍ତି ଯେ ମଙ୍ଗଳବାର ରାତିରେ ଗାଁର ୬୦-୭୦ ଲୋକ ଅସ୍ତ୍ରଶସ୍ତ୍ରରେ ତାଙ୍କ ଘରେ ଜବରଦଖଲ କରିଥିଲେ। ସେମାନେ ‘ଜୟ ଶ୍ରୀ ରାମର ସ୍ଲୋଗାନ ଉଠାଇବାକୁ କହିଥିଲେ। ଏହା ପରେ ସେମାନେ ଘର ଭାଙ୍ଗିବା ଆରମ୍ଭ କରି ଅବଦୁଲଙ୍କୁ କହିଥିଲେ ଯେ ଭଉଣୀକୁ ବଳାତ୍କାର କରିବେ। ଏହା ପରେ ଅବଦୁଲ କହିଛନ୍ତି ଯେ ସେ ତୁରନ୍ତ ପୋଲିସକୁ ଡାକିଥିଲେ ଏବଂ ଆକ୍ରମଣକାରୀମାନେ ପୋଲିସର ଆଗମନ ଏବଂ ଗାଡିର ସାଇରନ୍ ସମ୍ପର୍କରେ ସୂଚନା ପାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ଅବଦୁଲଙ୍କ ଅନୁଯାୟୀ ତାଙ୍କ ପରିବାର ସେଠାରେ ୩୫ ବର୍ଷ ରହିଆସୁଛନ୍ତି। ସେ ୧୫ ଜଣଙ୍କ ବିରୋଧରେ ନାମିତ ରିପୋର୍ଟ ଦାଖଲ କରିଛନ୍ତି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । କାହିଁକିନା ଗୋଟିଏ ପଟେ ରାମନବମୀ ହିଂସାରେ ସମ୍ପୃକ୍ତ ଥିବା ଲୋକଙ୍କ ଘରକୁ ମଧ୍ୟପ୍ରଦେଶ ସରକାର ଭାଙ୍ଗିଦେଉଥିବାବେଳେ ଆଉ ଗୋଟିଏ ପଟେ ଏପରି ଘଟଣା ସାମ୍ନାକୁ ଆସିଛି । ଏନେଇ ବର୍ତ୍ତମାନ ରାଜନେତାମାନେ ବୟାନ ବାଜି ମଧ୍ୟ ଆରମ୍ଭ କରି ସାରିଲେଣି । ତେବେ ବର୍ତ୍ତମାନ ଦେଖିବାକୁ ବିଷୟ ଯେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନ୍ୟାୟ କେବେ ମିଳୁଛି ।

Related Posts