ଏପ୍ରିଲ ୫ ତାରିଖରେ ଧାମନଗର ଏନଏସିରେ ହେବ ପୁନଃ ମତଦାନ: ରାଜ୍ୟ ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏପ୍ରିଲ ୫ ତାରିଖରେ ଧାମନଗର ଏନଏସିରେ ହେବ ପୁନଃ ମତଦାନ । ୬ଟି ବୁଥରେ ହେବ ସାନି ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେପଟେ ବିଜେପି ଯୁବ ସମର୍ଥକଙ୍କୁ ଛୁରାମାଡ଼ ପରେ ସେଠାରେ ନିର୍ବାଚନ ବନ୍ଦ ରହିଥିଲା । ତେବେ ଏନଏସିର ୩,୮,୯,୧୬,୧୭,୧୮ ବୁଥରେ ହେବ ସାନି ନିର୍ବାଚନ। ଏପ୍ରିଲ ୫ ତାରିଖ ଦିନ ସକାଳ ୧୦ଟା ରୁ ୪ଟା ପର୍ୟ୍ୟନ୍ତ ମତଦାନ ହେବା ସହ ଏପ୍ରିଲ ୬ତାରିଖ ସକାଳ ୮ଟାରୁ ଭୋଟ ଗଣତି ହେବ ବୋଲି ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଧାମନଗର ଏନଏସି ୯ ନମ୍ବର ୱାର୍ଡ ୧୬ ନମ୍ବର ବୁଥ୍ ସାମ୍ନାରେ ବଜାର ସାହିର ରମେଶ ଲେଙ୍କା(୨୮) ଭୋଟ୍ ଦେବାକୁ ଯାଇଥିବା ବେଳେ ସେଠାରେ ପ୍ରତିପକ୍ଷ ଦଳର କର୍ମୀଙ୍କ ସହ ବଚସା ହୋଇଥିଲା।

ଏଥିରେ ଉତକ୍ଷିପ୍ତ ହୋଇ ଜଣେ ଯୁବକ ରମେଶ ଲେଙ୍କାଙ୍କ ପେଟରେ ଛୁରି ଭୁସି ଦେଇଥିଲେ। ଛୁରାମାଡ଼ କରିବା ପରେ ଅଭିଯୁକ୍ତ ତତକ୍ଷଣାତ୍ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ଲୋକେ ରମେଶ ଲେଙ୍କାଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲେ। ଚଳିତ ବର୍ଷ ଧାମନଗର ଏନ୍ଏସିରେ ପ୍ରଥମ ଥର ପାଇଁ ନିର୍ବାଚନ ହେଉଥିଲା। ହେଲେ ବିଭିନ୍ନ ୱାର୍ଡରେ ନିର୍ବାଚନୀ ହିଂସା ପରେ ମତଦାନ ଅଧାରୁ ଅଟକିଥିଲା। ହେଲେ ଏହାକୁ ପୁଣି ଥରେ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ରାଜ୍ୟ ନିର୍ବାଚନ କମିଶନ ତାରିଖ ଧାର୍ୟ୍ୟ କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts