ଏଣିକି ଘରୋଇ ବିଦ୍ୟାଳୟ ଗୁଡ଼ିକ ବଢ଼ାଇ ପାରିବେନି ସ୍କୁଲ ଫି’: ଭଗୱନ୍ତ ମାନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବରେ ଆପ ସରକାର ଗଠନ କରିବା ପରେ ସାରା ଦେଶର ନଜର ପଞ୍ଜାବ ଉପରେ ରହିଛି । ସେପଟେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ଘୋଷଣା କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ସ୍କୁଲ ଫି’ ଆଉ ବଢ଼ାଇପାରିବେ ନାହିଁ ବୋଲି ମାନ ଘୋଷଣା କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏକ ଭିଡିଓ ରିଲିଜ୍ କରି ମୁଖ୍ୟମନ୍ତ୍ରୀ ମାନ କହିଛନ୍ତି ଯେ ଘରୋଇ ବିଦ୍ୟାଳୟଗୁଡ଼ିକ ଏବେ ସ୍କୁଲ ଫି’ ବୃଦ୍ଧି କରିପାରିବେ ନାହିଁ। ଚଳିତ ବର୍ଷ ହେବାକୁ ଥିବା ଆଡମିଶନରେ ଫି’ ବୃଦ୍ଧି କରିବାକୁ ବିଦ୍ୟାଳୟଗୁଡ଼ିକୁ ଅନୁମତି ଦିଆଯିବ ନାହିଁ। ଏହା ବ୍ୟତୀତ ସେ କହିଛନ୍ତି ଯେ କୌଣସି ବିଦ୍ୟାଳୟ ବହି ଏବଂ ପୋଷାକ କିଣିବାକୁ କୌଣସି ନିର୍ଦ୍ଦିଷ୍ଟ ଦୋକାନକୁ ଯିବାକୁ ପିତାମାତାଙ୍କୁ କହିପାରିବେ ନାହିଁ।

ପିତାମାତାମାନେ ସେମାନଙ୍କ ସୁବିଧା ଅନୁଯାୟୀ ବହି ଏବଂ ପୋଷାକ କିଣିବାକୁ ସକ୍ଷମ ହେବେ। ଏହାପୂର୍ବରୁ ସୋମବାର ଦିନ ମୁଖ୍ୟମନ୍ତ୍ରୀ ମାନ ପଞ୍ଜାବରେ ଘରକୁ ଘର ରାସନ ପହଞ୍ଚାଇବା ପାଇଁ ‘ଡୋର ଷ୍ଟେପ୍ ଡେଲିଭରି’ ଆରମ୍ଭ କରିବାକୁ ଘୋଷଣା କରିଥିଲେ, ଯେଉଁଥିରେ ଅଧିକାରୀମାନେ ଲୋକମାନଙ୍କୁ ଫୋନ କରି ସମୟ ମାଗିବେ ଏବଂ ତା’ପରେ ସେମାନେ ସେମାନଙ୍କ ଘରେ ରାସନ ପହଞ୍ଚାଇବେ। ଏହା ସହିତ ଆମ୍ ଆଦମୀ ପାର୍ଟି ସରକାର ପଞ୍ଜାବରେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଗାଇବାକୁ ଘୋଷଣା କରିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts