ପଦ୍ମପୁର ଉପନିର୍ବାଚନ; ଶେଷ ଦିନରେ ନାମାଙ୍କନ ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ପାଇଁ ଗୁରୁବାର ଶେଷ ଦିନରେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଦଳୀୟ ନେତୃବୃନ୍ଦଙ୍କ ସହିତ ସେ ପଦ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ଏବଂ ସେଠାରେ ରିଟର୍ନିଂ ଅଫିସରଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ଏହି ଅବସରରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ଜିଲ୍ଲା କଂଗ୍ରେସ ସଭାପତି ନିହାର ରଞ୍ଜନ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ରାଜ୍ୟର ୩ ପ୍ରମୁଖ ଦଳର ପ୍ରାର୍ଥୀ ମାନେ ନାମାଙ୍କନ ଦାଖଲ କରିଛନ୍ତି। କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କ ବ୍ୟତୀତ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଓ ଜଣେ ସ୍ଵାଧୀନ ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପଦ୍ମପୁରର ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଏଠାରେ ଆସନ୍ତା ଡିସେମ୍ବର ୫ ତାରିଖରେ ଉପନିର୍ବାଚନ ପାଇଁ ଭୋଟ ପଡ଼ିବ। ନଭେମ୍ଵର ୧୭ରେ ଅର୍ଥାତ ଆଜି ନାମାଙ୍କନ ଦାଖଲର ଶେଷ ଦିନ ଥିବାବେଳେ​ ୧୮ରେ ନାମାଙ୍କନ ଯାଞ୍ଚ୍ ହେବ । ସେହିଭଳି ନଭେମ୍ବର ୨୧ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବାବେଳେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ଡିସେମ୍ବର ୫ରେ ନିର୍ବାଚନ ହେବାକୁ ଥିବାବେଳେ​ ୮ତାରିଖରେ ଭୋଟ ଗଣତି ହେବ।

Related Posts