ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଆଜିଠୁ ହେବ ଦ୍ବିତୀୟ ପର୍ଯ୍ୟାୟ ଗଣତିମଣତି । ତେବେ ବାହାର ଭଣ୍ଡାର ଖୋଲା ହେବା ପରେ ଏହା ଲଗାତାର ୪ ଦିନ ଧରି (୧୧ ତାରିଖ ଯାଏଁ) ଚାଲିବ। ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ। ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ। ଏହା ପରେ କେବେ ଗଣତି ହେବ ସେ ନେଇ ଆଲୋଚନା ପରେ ତାରିଖ ଧାର୍ଯ୍ୟ ହେବ। ସେପଟେ ଗଣତି ପ୍ରକ୍ରିୟା ଚାଲିଥିବା ବେଳେ ଶ୍ରୀଜିଉଙ୍କ ନୀତିରେ ବ୍ୟାଘାତ ହେବ ନାହିଁ। ସୁରକ୍ଷା ଦୃଷ୍ଟିରୁ ଭକ୍ତମାନଙ୍କୁ ବାହାର କାଠ ନିକଟରେ ଦର୍ଶନ କରିବାକୁ ସୁଯୋଗ ଦିଆଯିବ। ଭିତର କାଠ ନିକଟରୁ ଦର୍ଶନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବନ୍ଦ ରହିବ। ଅଧିକୃତ ପାଳିଆ ସେବକମାନେ ଜଗମୋହନ ଓ ଗର୍ଭଗୃହକୁ ନୀତି ସଂପାଦନ ନିମନ୍ତେ ସ୍ୱଚ୍ଛନ୍ଦରେ ପ୍ରବେଶ କରିବେ। ଏଥିପାଇଁ ପାଳିଆ ସେବକମାନଙ୍କୁ ସ୍ବତନ୍ତ୍ର ପାସ୍‌ର ବ୍ୟବସ୍ଥା କରାଯାଇଛି। ଆଜିଠାରୁ ପାସ୍‌ ବଣ୍ଟାଯାଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପୂର୍ବ ଦିନମାନଙ୍କ ଭଳି ରତ୍ନଭଣ୍ଡାର ଗଣତି କାର୍ଯ୍ୟରେ ପୂର୍ଣ୍ଣ ସହଯୋଗ ପାଇଁ ନିବେଦନ କରିଛନ୍ତି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ।