ଫିଲ୍ମ ‘ପଠାନ୍‌’କୁ ନେଇ ବିବାଦ ମଧ୍ୟରେ ଚଳଚ୍ଚିତ୍ର ଓ ଗୀତରେ ପରିବର୍ତ୍ତନ କରିବାକୁ ସେନ୍‌ସର୍‌ ବୋର୍ଡର ପରାମର୍ଶ

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ଙ୍କ ଆଗାମୀ ଚଳଚ୍ଚିତ୍ର ପଠାନ୍‌କୁ ନେଇ ବିବାଦ ମଧ୍ୟରେ ଫିଲ୍ମର ଗୀତ ସମେତ ଚଳଚ୍ଚିତ୍ରରେ ନିର୍ଦ୍ଦିଷ୍ଟ କେତେକ ପରିବର୍ତ୍ତନ କରି ଉକ୍ତ ସଂଶୋଧିତ ସଂସ୍କରଣକୁ ପୁଣି ଥରେ ଦାଖଲ କରିବା ଲାଗି ‘ପଠାନ୍‌’ର ନିର୍ମାତାମାନଙ୍କୁ ‘ଦି ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସାର୍ଟିଫିକେସନ୍‌’ (ସିବିଏଫ୍‌ସି) ବା ସେନ୍‌ସର୍‌ ବୋର୍ଡ ପରାମର୍ଶ ଦେଇଥିବା କଥା ଅଧ୍ୟକ୍ଷ ପ୍ରସୂନ ଯୋଶୀ କହିଛନ୍ତି।

‘ସାଟିଫିକେସନ୍‌’ ନିମନ୍ତେ ଅଳ୍ପ ଦିନ ତଳେ ‘ସିବିଏଫ୍‌ସି’ ପରୀକ୍ଷକ କମିଟିରେ ଦାଖଲ କରାଯାଇଥିବା ‘ପଠାନ୍‌’ ଚଳଚ୍ଚିତ୍ରକୁ ବୋର୍ଡର୍‌ ଗାଇଡ୍‌ଲାଇନ୍‌ ଅନୁସାରେ ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇଥିଲା। ନିର୍ଦେଶକ ସିର୍ଦ୍ଧାର୍ଥ ଆନନ୍ଦଙ୍କ ‘ପଠାନ୍‌’ ଚଳଚ୍ଚିତ୍ର ୨୦୨୩ ଜାନୁଆରିରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଏହି ଚଳଚ୍ଚିତ୍ରର ଗୀତଗୁଡ଼ିକ ମଧ୍ୟରୁ ‘ବେଶରମ୍‌ ରଙ୍ଗ୍‌’ ଗୀତଟିରେ ଦୀପିପା ପାଦୁକୋନ୍‌ ପିନ୍ଧିଥିବା କମଳା ରଙ୍ଗର (ଗେରୁଆ) ବିକିନି ଉପରେ ବିବାଦ ଆରମ୍ଭ ହୋଇଥିଲା।

ତେବେ ଏନେଇ ଯୋଶୀ କହିଛନ୍ତି ଯେ, ସର୍ଜନାତ୍ମକ ପରିପ୍ରକାଶ ଓ ଦର୍ଶକମାନଙ୍କ ଭାବାବେଗ ମଧ୍ୟରେ ସଠିକ୍‌ ସନ୍ତୁଳନ ରକ୍ଷା କରିବା ପାଇଁ ‘ସିବିଏଫ୍‌ସି’ ସର୍ବଦା ପ୍ରତିବଦ୍ଧ। ଉଭୟ ପକ୍ଷଙ୍କ ସହିତ ସଫଳ ଆଲୋଚନା ମାଧ୍ୟମରେ ସାମାଧାନ ବାହାରି ପାରିବ ବୋଲି ବୋର୍ଡର ବିଶ୍ବାସ। କିନ୍ତୁ, ଉକ୍ତ ଚଳଚ୍ଚିତ୍ରରେ କେଉଁ ଦୃଶ୍ୟଗୁଡ଼ିକରେ ପରିବର୍ତ୍ତନ କରାଯିବାକୁ ପରାମର୍ଶ ଦିଆଯାଇଛି, ସେ ସଂକ୍ରାନ୍ତରେ ଯୋଶୀ କିଛି କହି ନାହାନ୍ତି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୧୨ ତାରିଖ ଦିନ ‘ପଠାନ୍‌’ ଚଳଚ୍ଚିତ୍ରର ଗୀତ ‘ବେଶରମ୍‌ ରଙ୍ଗ୍‌’ ଅନ୍‌ଲାଇନ୍‌ରେ ପଡ଼ିବା କ୍ଷଣି ସମଗ୍ର ଦେଶରେ ଏହା ଆଲୋଚନାର ବିଷୟ ପାଲଟି ଯାଇଥିଲା।

Related Posts