‘ଭାରତକୁ କଂଗ୍ରେସ ମୁକ୍ତ କରିବା ଅସମ୍ଭବ’: ଶରଦ ପାୱାର

ଭୁବନେଶ୍ଵର,୨୯/୧୨(ସତ୍ୟପାଠ ବ୍ୟୁରୋ): ‘କଂଗ୍ରେସ ମୁକ୍ତ ଭାରତ ଅସମ୍ଭବ, କାରଣ କେହି ବି କଂଗ୍ରେସର ବିଚାରଧାରା ଓ ଯୋଗଦାନକୁ ଭୁଲି ପାରିବେନି।’ କଂଗ୍ରେସର ୧୩୮ ତମ ସ୍ଥାପନା ଦିବସ ଅବସରରେ ଏଭଳି କହିଛନ୍ତି ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି)ର ଅଧ୍ୟକ୍ଷ ଶରଦ ପାୱାର। ତେବେ ବୁଧବାର କଂଗ୍ରେସର ପ୍ରତିଷ୍ଠା ଦିବସ ଅବସରରେ ପୁନେରେ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଶରଦ ପାଓ୍ବାର ଯୋଗ ଦେଇଥିଲେ। ଶରଦ କଂଗ୍ରେସ ଛାଡିବାର ଦୀର୍ଘ ୨୩ ବର୍ଷ ପରେ ସେ କଂଗ୍ରେସର କୌଣସି ଦଳୀୟ କାର୍ଯ୍ୟକ୍ରମରେ ପ୍ରଥମଥର ପାଇଁ ଯୋଗଦେଇ କହିଛନ୍ତି ଯେ, ‘କଂଗ୍ରେସ ମୁକ୍ତ ଭାରତ କେବେ ବି ସମ୍ଭବ ନୁହେଁ।’

ପାଓ୍ବାର କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ, ଏହି ସ୍ଥାନ ବହୁ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ରହିଛି। କଂଗ୍ରେସର ପ୍ରାୟ ସବୁ ବରିଷ୍ଠ ନେତା ମହାତ୍ମା ଗାନ୍ଧି, ଜବାହାରଲାଲ ନେହରୁ ଓ ଇନ୍ଦିରା ଗାନ୍ଧି ଏହି ସ୍ଥାନକୁ ଗସ୍ତ କରିଛନ୍ତି। ଏହା ପୂର୍ବରୁ ପୁନେର କଂଗ୍ରେସ ଭବନ ପରିସର ହିଁ ରାଜ୍ୟରେ କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟ ଥିଲା। କିଛି ଲୋକ କହୁଛନ୍ତି ଯେ, ଆମେ କଂଗ୍ରେସ ମୁକ୍ତ ଭାରତ କରିବୁ, କିନ୍ତୁ ଭାରତ କଂଗ୍ରେସ ମୁକ୍ତ ହେବା ସମ୍ଭବ ନୁହେଁ। ବାସ୍ତବରେ, ଯଦି ଆମେ ଭାରତକୁ ଆଗକୁ ନେଇକି ଯିବାକୁ ଚାହୁଁ ତେବେ କଂଗ୍ରେସକୁ ଆଗକୁ ବଢଇବାକୁ ହେବ। କେହି ବି କଂଗ୍ରେସର ବିଚାରଧାରାକୁ ଅଣଦେଖା କରିପାରିବେନି। ଆମେ କଂଗ୍ରେସର ଯୋଗଦାନ ଓ ଇତିହାସକୁ କେବେ ଭୁଲି ପାରିବୁ ନାହିଁ ବୋଲି ଶରଦ ପାୱାର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଶରଦ ପାୱାରଙ୍କୁ ରାଜନୀତି ଦୁନିଆର ଅଙ୍ଗଦ ବୋଲି ମଧ୍ୟ କୁହାଯାଏ। ତାଙ୍କର ସବୁବେଳେ ଉଭୟ ଶାସକ ଓ ବିରୋଧୀ ଦଳ ସହ ଭଲ ସମ୍ପର୍କ ରହିଛି। ସେଥିପାଇଁ ୨୦୧୭ ରେ ଦେଶର ଦ୍ବିତୀୟ ସର୍ବୋଚ୍ଚ ନାଗରିକ ପଦ୍ମବିଭୂଷଣରେ ସମ୍ମାନିତ କରିଥିଲେ ମୋଦି ସରକାର। ସେ ତିନି ଥର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିସାରିଛନ୍ତି। ୨୦୦୪ ରୁ ୧୦୧୪ ପର୍ଯ୍ୟନ୍ତ କେନ୍ଦ୍ରର ମନମୋହନ ସିଂହ ସରକାରରେ କୃଷି ମନ୍ତ୍ରୀ ଓ ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ପାୱାର ୧୯୭୮ ରେ ଇନ୍ଦିରା ଗାନ୍ଧିଙ୍କୁ ବିରୋଧ କରି ମହାରାଷ୍ଟ୍ରରେ ଜନତା ଦଳ ସହ ମିଶି ସରକାର ଗଠନ କରିଥିଲେ। ପରେ ରାଜୀବ ଗାନ୍ଧି ପ୍ରଧାନମନ୍ତ୍ରୀ ହେବାପରେ ପୁଣି କଂଗ୍ରେସକୁ ଫେରିଥିଲେ। ତେବେ ୧୯୯୯ ରେ ସୋନିଆ ଗାନ୍ଧିଙ୍କ ବିଦେଶିନୀ ପ୍ରସଙ୍ଗ ନେଇ ସେ ପୁଣି କଂଗ୍ରେସ ଛାଡିଥିଲେ। ଏହା ପରେ ତାରିକ୍ ଅନଓ୍ବନର ଏବଂ ପିଏ ସାଙ୍ଗମାଙ୍କ ସହ ମିଶି ନିଜର ଅଲଗା ଦଳ ଏନସିପି ତିଆରି କରିଥିଲେ। ତେବେ ସେହି ବର୍ଷ ସେ କଂଗ୍ରେସର ସମର୍ଥନରେ ମହାରାଷ୍ଟ୍ରରେ ସରକାର ମଧ୍ୟ ଗଠନ କରିଥିଲେ।

Related Posts