ପାରାଦୀପରେ ନିର୍ମାଣ ହେବ ଜାହାଜ; ପ୍ରଥମ ପର୍ୟ୍ୟାୟରେ ଖର୍ଚ୍ଚ ହେବ ୬ କୋଟି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାରାଦୀପରେ ନିର୍ମାଣ ହେବ ଜାହାଜ । ପ୍ରଥମ ପର୍ୟ୍ୟାୟରେ ଖର୍ଚ୍ଚ ହେବ ୬ କୋଟି । ସେପଟେ ସୋମବାର ପ୍ରଥମ ପର୍ୟ୍ୟାୟରେ ଏକ ପାଇଲଟ୍ ଜାହାଜ ନିର୍ମାଣର ଶୁଭାରମ୍ଭ କରିଛନ୍ତି ପାରାଦୀପ ବନ୍ଦରର ଅଧ୍ୟକ୍ଷ ପି.ଏଲ୍ ହାରନାଦ୍ । ଏହି ଅବସରରେ ବନ୍ଦର ସ୍ଲିପ୍ ୱେରେ ଏକ ପାଇଲଟ୍ ଜାହାଜର କିଲ୍ ଲେଇଂ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାଧବ ସିପିଂ ଅଫ୍ସୋର୍ ଇଞ୍ଜିନିୟରିଂ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନି ଟେଣ୍ଡର ମାଧ୍ୟମରେ ଏହି ଜାହାଜ ନିର୍ମାଣ କାମ ହାତକୁ ନେଇଛି । ୩୦ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ସ୍ଲିପ୍ ୱେରେ କେବଳ ଛୋଟ ଛୋଟ ଲଞ୍ଚ୍ର ମରାମତି ହେଉଥିଲା । ମାତ୍ର ଲଞ୍ଚ୍ ମରାମତି ଛଡ଼ା ସାଧବ ସିପିଂ କମ୍ପାନି ଏବେଠୁ ଜାହାଜ ନିର୍ମାଣ କାର୍ୟ୍ୟ ଆରମ୍ଭ କରିବାକୁ ଯାଉଛି । ଅଭିଜ୍ଞ ବିଶେଷଜ୍ଞଙ୍କୁ ନେଇ କମ୍ପାନି ବିଶ୍ୱ ସ୍ତରୀୟ ଜାହାଜ ନିର୍ମାଣ କରିବାକୁ ଯୋଜନା ରଖିଛି ।

ଓଡ଼ିଶାରେ ସାମୁଦ୍ରିକ ପରମ୍ପରା ବହୁ ପୁରାତନ ହୋଇଥିବାବେଳେ ଜାହାଜ ନିର୍ମାଣ ଓ ମରାମତି କାମର ଆରମ୍ଭ ଓଡ଼ିଶାକୁ ଏକ ନୂଆ ପରିଚୟ ଦେବ । କେବଳ ସେତିକି ନୁହେଁ, ଏଥିସହିତ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କମ୍ପାନିର ନିର୍ଦ୍ଦେଶକ ଦେବାହୁତି ଚୌଧୁରୀ କହିଛନ୍ତି। ଗୋଟିଏ ପାଇଲଟ୍ ଜାହାଜର ଲମ୍ବ ୨୦ରୁ ୩୦ ମିଟର ମଧ୍ୟରେ ହେବ । ଏଥିରେ ୧୨ଶହରୁ ୧୮ଶହ ହର୍ସପାୱାର ଇଞ୍ଜିନ ଲାଗିବ । ସେହିପରି ଶୀତତାପ କୋଠରି ରହିବ । ଏହାର ନିର୍ମାଣ ଖର୍ଚ୍ଚ ୩ରୁ ୬ କୋଟି ଟଙ୍କା ମଧ୍ୟରେ ରହିବ । ଆଗକୁ ଗ୍ରାହକଙ୍କ ଚାହିଦା ଅନୁସାରେ ବଡ଼ ବଡ଼ ଜାହାଜର ନିର୍ମାଣ ଲାଗି ପଦକ୍ଷେପ ନିଆଯିବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

Related Posts