
ନୂଆଦିଲ୍ଲୀ: ଘୋର ଉତ୍କଟ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କା କୁ ଭାରତ ସହ ତୁଳନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ଶ୍ରୀଲଙ୍କାରେ ଯେପରି ଘୋର ଖାଦ୍ୟାଭାବ ସାଙ୍ଗକୁ ଇନ୍ଧନ ଅଭାବ ସୃଷ୍ଟି ହୋଇଛି, ଏହାର ପ୍ରତିବାଦରେ ଚାରିଆଡେ ବିଦ୍ରୋହର ବହ୍ନି ଜଳୁଛି । ଭାରତରେ ମଧ୍ୟ ସମାନ ସ୍ଥିତି ଉତ୍ପରଃନ ହୋଇଛି |
ଇନ୍ଧନ ମୂଲ୍ୟ ଆକାଶଛୁଆଁ ରହିଛି ଏବଂ ଅନେକ ସମୟରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟୁଛି । ଯେଉଁଥିପାଇଁ ଶ୍ରୀଲଙ୍କା ସହ ଭାରତକୁ ତୁଳନା କରିଛନ୍ତି ବିଜେପି ସରକାରର ଆର୍ଥିକ ପରିଚାଳନାକୁ ସମାଲୋଚନା କରି ରାହୁଲ ଏକ ଗ୍ରାଫ୍ ଟ୍ବିଟ୍ କରିଛନ୍ତି । ଦୁଇ ଦେଶର ବେକାରୀ, ପେଟ୍ରୋଲ ମୂଲ୍ୟ ଏବଂ ସାମ୍ପ୍ରଦାୟିକ ହିଂସାକୁ ନେଇ ଏହି ଗ୍ରାଫ୍ ପ୍ରସ୍ତୁତ ହୋଇଛି । ଯେଉଁଥିରେ ଶ୍ରୀଲଙ୍କା ଏବଂ ଭାରତର ସ୍ଥିତି ପ୍ରାୟ ଏକାଭଳି ଦେଖାଯାଉଛି ।
ରାହୁଲ ଗ୍ରାଫ୍ଟି ଟ୍ବିଟ୍ କରି ବିଜେପିକୁ ଟାର୍ଗେଟ କରି ଲେଖିଛନ୍ତି, ”ଲୋକଙ୍କ ଧ୍ୟାନ ଅନ୍ୟ ଆଡକୁ ଆକର୍ଷିତ କଲେ ତଥ୍ୟ ବଦଳି ଯିବନି । ଭାରତ ସ୍ଥିତି ଶ୍ରୀଲଙ୍କା ଭଳି ଦିଶୁଛି ।” ଗ୍ରାଫ୍ରେ 2017 ପର ଠାରୁ ଉଭୟ ଶ୍ରୀଲଙ୍କା ଏବଂ ଭାରତରେ ବେକାରୀ ହାର ବଢିଥିବାର ଦର୍ଶାଯାଇଛି । ଯାହାକି 2020ରେ ଲକଡାଉନ ସମୟରେ ଶୀର୍ଷରେ ପହଞ୍ଚିଥିଲା । ସେହିପରି ଦୁଇ ଦେଶର ପେଟ୍ରୋଲ ରେଟ ମଧ୍ୟ ବଢି 2021ରେ ଶୀର୍ଷରେ ରହିଛି । ଉଭୟ ଦେଶରେ ସାମ୍ପ୍ରଦାୟିକ ହିଂସାକାଣ୍ଡ 2019ରେ କମ୍ ଥିବାବେଳେ 2020ରେ ଏହା ଖୁବ୍ ଅଧିକ ରହିଥିବା ପ୍ରଦର୍ଶିତ ହୋଇଛି ।
ପୂର୍ବରୁ ମଧ୍ୟ ରାହୁଲ କହିଥିଲେ ଯେ ”ଭାରତ ଶ୍ରୀଲଙ୍କା ଭଳି ସ୍ଥିତି ଆଡକୁ ଗତି କରୁଛି । ଶ୍ରୀଲଙ୍କାରେ ଲୋକଙ୍କୁ ସତ ଲୁଚାଯାଉଛି । ଠିକ୍ ସେହିଭଳି ଭାରତରେ ବିଜେପି RSSର ଲୋକ ଦେଶବାସୀଙ୍କୁ ସତ ଲୁଚାଉଛନ୍ତି ଏବଂ ସତ ଧୀରେ ଧୀରେ ସମସ୍ତଙ୍କୁ ସାମ୍ନାକୁ ଆସୁଛି ।