ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହାଶିବରାତ୍ରୀ ପାଇଁ ଗାଇଡଲାଇନ ଜାରି କଲେ ସ୍ୱତନ୍ତ୍ର ରିଲିଫ କମିଶନର । ତେବେ ମହାଶିବରାତ୍ରୀ ଅବସରରେ ରାଜ୍ୟର ବିଭିନ୍ନ ମନ୍ଦିର, ଧର୍ମାନୁଷ୍ଠାନରେ ପୂଜାପାଠ ଲାଗି ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଏକାଠି ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷକରି ଜିଲ୍ଲାପାଳ, ମ୍ୟୁନିସପାଲିଟି କମିଶନର, ପୁଲିସ କମିଶନର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି କଟକଣା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଶ୍ରଦ୍ଧାଳୁମାନେ ମନ୍ଦିର ଆସିବା ବେଳେ ମାସ୍କ, ସାମାଜିକ ଦୂରତା ରକ୍ଷା, ପରିସ୍କାର ପରିଚ୍ଛନ୍ନତା ଉପରେ ଧ୍ୟାନ ରଖି ଯେପରି ସମସ୍ତ କଟକଣା ପାଳନ କରନ୍ତି, ସେ ଉପରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ଦିର, ମେଳା ଓ ଉତ୍ସବରେ ଏକାଠି ହେବାବେଳେ କୋଭିଡ କଟକଣାକୁ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତି ଆୟତ୍ତ୍ୱ ହେବାରେ ଲାଗିଛି । ସଂକ୍ରମିତଙ୍କ ସଂଖ୍ୟା ପ୍ରତ୍ୟେକ ଦିନ କମିବାରେ ଲାଗିଛି । କିନ୍ତୁ ମହାଶିବରାତ୍ରୀରେ ଭକ୍ତମାନଙ୍କ ସମାଗମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ଏପରି ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି ।
