କଳ୍ପନା ଜଳ୍ପନାର ଅନ୍ତ ଘଟିଲା; ସାଧାରଣତନ୍ତ୍ର ଦିବସରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳନ କରୁଛି । ଏହା ମଧ୍ୟରେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ଦିବସ ପାଳନ କରାଯାଇଛି । ଯେଉଁଠି ମୁଖ୍ୟଅତିଥି ଭାବରେ ରାଜ୍ୟପାଳ ଗଣେଷୀ ଲାଲ ଯୋଗ ଦେଇଥିଲେ । ଏବଂ ପତାକା ଉତ୍ତୋଳନ କରି ଅଭିଭାଦନ ଦେଇଥିଲେ । ସେପଟେ ଭୁବନେଶ୍ୱରାର ଗାନ୍ଧୀମାର୍ଗରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସରେ ସମ୍ମାନୀୟ ଅତିଥି ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସମଗ୍ର ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । କାହିଁକିନା କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ରାଜ୍ୟରେ ଅନେକ ଗୁଜବ ଉଡ଼ୁଥିଲା । କିଏ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ସଙ୍କଟାପୂର୍ଣ୍ଣ ଥିବାର କହୁଥିବାବେଳେ ଆଉ କିଏ ମୁଖ୍ୟମନ୍ତ୍ରୀ ଠିକ ଥିବାର କଥା କହୁଥିଲା । ଏହା ମଧ୍ୟରେ ସଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ସମସ୍ତଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ।

ଦୀର୍ଘ ଦିନ ଧରି ଯାହା କଳ୍ପନା ଜଳ୍ପନା ଚାଲିଥିଲା, ତାହାର ଆଜି ଅନ୍ତ ଘଟିଛି । କେବଳ ଏତିକି ନୁହେଁ ଦେଶର ଏକତା ଓ ସୁରକ୍ଷା ପାଇଁ ବଳିଦାନ ଦେଇଥିବା ଅମର ସହିଦମାନଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହା ସହ କରୋନା ସମୟରେ ସହିଦ ହୋଇଥିବା କୋଭିଡ ଯୋଦ୍ଧାମାନଙ୍କ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଜଣାଇଥିବାର ଦେଖିବାକୁ ମିଳିଛି । ଅନ୍ୟପଟେ ପୁଲିସ ବ୍ୟାଣ୍ଡକୁ ମିଶାଇ ଏଥର ମୋଟ ୧୦ଟି କଣ୍ଟିଜେଣ୍ଟ ପ୍ୟାରେଡରେ ଭାଗ ନେଇଥିଲେ । ବିଏସଏଫ, ସିଆରପିଏଫ, ଏସଓଜି, ଓଏସଏଏପି, ଓଡ୍ରାଫ, ଫାୟାର, ଏସଏସବି ଓ ୩ଟି ବ୍ରାସବ୍ୟାଣ୍ଡ ଯୋଗ ଦେଇଥିଲେ । ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ପ୍ରଥମ ଥର ପାଇଁ ବିଏସଏଫ ଯବାନ ଭାଗ ନେଇଥିଲେ । କୋଭିଡ କଟକଣା ମଧ୍ୟରେ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା ।

କୋଭିଡ କଟକଣା ଦୃଷ୍ଟିରୁ ଚଳିତ ବର୍ଷ ପ୍ୟାରେଡ ଦେଖିବାକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଥିଲା । ସେହିପରି ଚଳିତ ବର୍ଷ ପ୍ୟାରେଡରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଭୁବନେଶ୍ୱର ଡିସିପିଙ୍କ ନେତୃତ୍ବରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।

Related Posts