କେନ୍ଦ୍ର ବଜେଟ ଆସିଲା ପରେ ସେଥିରୁ କିଛି କପି ପେଷ୍ଟ କରି ରାଜ୍ୟ ବଜେଟ ପ୍ରସ୍ତୁତ କରାଯାଇଛି: ମୋହନ ଚରଣ ମାଝୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରି ମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ସେପଟେ ଗୃହରେ ଏ ସଂକ୍ରାନ୍ତୀୟ ବ୍ୟୟମଞ୍ଜୁରି ବିଲ୍ ପାରିତ ହୋଇଛି। ଏହା ସହ ୬ ଦିନ ଅବଧିର ବଜେଟ୍ ଅଧିବେଶନ ମଧ୍ୟ ଶେଷ ହୋଇଛି। ଏହା ମଧ୍ୟରେ ବିଜେପି ନେତା ମୋହନ ଚରଣ ମାଝୀ ରାଜ୍ୟ ବଜେଟକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ରାଜ୍ୟ ବଜେଟରେ ନୂଆ ଯୋଜନା ଉଲ୍ଲେଖ ନାହିଁ। କେନ୍ଦ୍ର ବଜେଟ୍ ଆସିଲା ପରେ ସେଥିରୁ କିଛି କପି ପେଷ୍ଟ କରି ରାଜ୍ୟ ବଜେଟ ପ୍ରସ୍ତୁତ କରାଯାଇଛି।

କୃଷି ପାଇଁ ୨୦ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ଅଟକଳ କରାଯାଇଛି। କିନ୍ତୁ ଚାଷୀଙ୍କୁ ମାଗଣା ବିଜୁଳି ମିଳୁନି। ଶୀତଳ ଭଣ୍ଡାର ନାହିଁ। ୩୫% ଜଳସେଚନ ପ୍ରତିଶ୍ରୁତି ପୂରଣ ହୋଇପାରିଲାନି। ରାଜ୍ୟରେ ଶିକ୍ଷକ ନ ଥାଇ ସ୍ମାର୍ଟ ସ୍କୁଲ୍ କରାଯାଉଛି। ପୁରୁଣା ଟାଇଲ୍ ପକାଇ ରଙ୍ଗ ମାରି ସ୍ମାର୍ଟ ସ୍କୁଲ୍ ବୋଲି ପ୍ରଚାର କରାଯାଉଛି। ଅଘୋଷିତ ବିଜୁଳି କାଟ ବଢ଼ିବାରେ ଲାଗିଛି ବୋଲି ବିଜେପି ନେତା ମୋହନ ଚରଣ ମାଝୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts