ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର ଚାଲିଛି । ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ୩ ହେଭିୱେଟ୍ ନେତା ମଇଦାନକୁ ଓହ୍ଲାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀଭାବେ ରାଜେନ୍ଦ୍ର ଦାସ ନିର୍ବାଚନ ଲଢ଼ୁଛନ୍ତି । ମାଳ ମାଳ ନେତା ଓ ପ୍ରତିଶ୍ରୁତି ମଧ୍ୟରେ କମ୍ପୁଛି ଧାମନଗର ମଇଦାନ। ଏହାରି ମଧ୍ୟରେ ଭୋଟ୍ ଦିନ ଧାମନଗରରେ ସରକାରୀ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।ନଭେମ୍ବର ୩ ତାରିଖରେ ଧାମନଗର ନିର୍ବାଚନ ମଣ୍ଡଳୀରେ ସରକାରୀ ଛୁଟି ଘୋଷଣା କରାଯାଇଛି । ସରକାରଙ୍କ ଘୋଷଣା ମୁତାବକ, ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ସ୍କୁଲ, କଲେଜ୍, ସରକାରୀ ଅନୁଷ୍ଠାନ, ବ୍ୟାଙ୍କ ଏହିଦିନ ଛୁଟି ରହିବ ।

ସୂଚନାଯୋଗ୍ୟ ଯେ, ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର କୁମାର ଦାସଙ୍କ ସମେତ ମୋଟ ୫ଜଣ ପ୍ରାର୍ଥୀ ମୈଦାନରେ ଥିବାବେଳେ ନିର୍ବାଚନମଣ୍ଡଳୀର ୨.୩୮ଲକ୍ଷ ଭୋଟର ଆସନ୍ତା ନଭେମ୍ବର ୩ ତାରିଖରେ ନିଜର ମତାଧିକାର ସାବ୍ୟସ୍ତ କରିବେ । ବିଜେଡିରୁ ଅବନ୍ତୀ ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୂରଜ ଓ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ମୈଦାନକୁ ଓହ୍ଲାଇଛନ୍ତି । ସେହିପରି ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ପବିତ୍ର ମୋହନ ଦାସ ମଧ୍ୟ ମଇଦାନରେ ରହିଛନ୍ତି । ତେବେ ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଦାସଙ୍କ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କାଏମ ରହିବା ସହ ତାଙ୍କୁ ‘ଭାସମାନ ଡଙ୍ଗା ସହ ନାବିକ ଓ କାତ’ ଚିହ୍ନ ମିଳିଛି ।