ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଲ୍କିସ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଏହି ଘଟଣାରେ ହୋଇଥିବା ସମସ୍ତ ମାମଲାର ରେକର୍ଡ କୋର୍ଟରେ ଦଖଲ କରିବାକୁ ଗୁଜୁରାଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରାଜ୍ୟ ସରକାର ଦେଇଥିବା କ୍ଷମା ନିର୍ଦ୍ଦେଶର ମଧ୍ୟ ସମସ୍ତ ବିବରଣୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଖବର ଅନୁସାରେ, ଏହି ଘଟଣାରେ ଦୋଷୀମାନେ ୧୫ ବର୍ଷ ଜେଲ୍ ସଜା କାଟିବା ପରେ ସେମାନଙ୍କ ମଧ୍ୟରୁ ଜଣେ ସଜା ପୂରଣ ପୂର୍ବରୁ ଜେଲ୍ରୁ ଛାଡ଼ିଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଏହାପରେ ସର୍ବୋଚ୍ଚ ଅଦାଲତ ମାମଲାକୁ ବିଚାର କରିବାକୁ ଗୁଜୁରାଟ ସରକାରଙ୍କୁ କହିଥିଲେ। ହେଲେ ରାଜ୍ୟ ସରକାର ସମସ୍ତ ଦୋଷୀମାନଙ୍କୁ ଗତ ଅଗଷ୍ଟ ୧୫ ତାରିଖରେ କ୍ଷମା ଦେଇଥିଲେ। ତେବେ ଏହି ଦୋଷୀ ମାନଙ୍କୁ ମୁକ୍ତ କରିବା ପରେ ଦେଶର ଚାରିଆଡୁ ଏହାକୁ ନିନ୍ଦା କରାଯାଇଥିଲା। ଏହାକୁ ବିରୋଧ କରି ପ୍ରାୟ ୬ ହଜାର ଲୋକ ସୁପ୍ରିମକୋର୍ଟଙ୍କୁ ଲିଖିତ ଆକାରରେ ଜଣାଇଥିଲେ। ଏହାପରେ ଏନେଇ ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ତୁରନ୍ତ କ୍ଷମା ନିର୍ଦ୍ଦେଶକୁ ହଟାଇ ଦୋଷୀମାନଙ୍କୁ ପୁଣିଥରେ ଜେଲ୍ରେ ରଖିବାକୁ ଆବେଦନରେ କୁହାଯାଇଥିଲା। ଆଉ ଆଜି କୋର୍ଟ ମାମଲାର ଶୁଣାଣି କରି ବିଲ୍କିସ୍ ମାମଲା ସମ୍ପର୍କିତ ସମସ୍ତ ତଦନ୍ତ ରିପୋର୍ଟ ଗୁଜୁରାଟ ସରକାରଙ୍କର କେଉଁକ୍ଷମା ନିୟମରେ ସେମାନଙ୍କୁ ଛଡାଯାଇଛି ସେ ସମସ୍ତ ରିପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ପରବର୍ତ୍ତି ଶୁଣାଣି ତିନି ସପ୍ତାହ ପରେ ହେବ।
