‘ଦୁଇଟି ମ୍ୟାଚ୍ ହାରିଗଲେ କେଉଁ ଦଳ ଖରାପ ହୋଇଯାଏ ନାହିଁ’; ଏସିଆ କପରେ ଭାରତର ପରାଜୟ ନେଇ ରାହୁଲ ଦ୍ରାବିଡଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତୀୟ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କଡା ଆଭିମୁଖ୍ୟ ଦେଖିବାକୁ ମିଳିଛି। ସଞ୍ଜୟ ମାଞ୍ଜରେକରଙ୍କ ସହିତ ଏକ ସାକ୍ଷାତକାରରେ ଦ୍ରାବିଡ ଜୋର ଦେଇ କହିଛନ୍ତି, ଦଳ ଏହିପରି ବିଫଳତା ଉପରେ ପ୍ରତିକ୍ରିୟାଶୀଳ ହେବାକୁ ଚେଷ୍ଟା କରେ ନାହିଁ। କେବଳ ଦୁଇଟି ମ୍ୟାଚ୍ ହାରିଗଲେ କେହି ଖରାପ ଦଳ ହୁଏ ନାହିଁ। ତେବେ ଏସିଆ କପ୍ ୨୦୨୨ରେ ଭାରତୀୟ ଦଳର ଆରମ୍ଭ ଦମଦାର ରହିଥିଲା। ଲିଗ୍ ପର୍ଯ୍ୟାୟରେ ଦୁଇଟି ମ୍ୟାଚ୍ ଜିତିଥିଲେ ମଧ୍ୟ ସୁପର ୪ ରାଉଣ୍ଡରେ ଭାରତକୁ କ୍ରମାଗତ ଦୁଇଟି ପରାଜୟ ଭୋଗିବାକୁ ପଡିଥିଲା। ସୁପର ୪ ରାଉଣ୍ଡରେ ଦୁଇଟି ପରାଜୟ ପରେ ଏସିଆ କପ୍‌ରୁ ଭାରତୀୟ ଦଳ ବାଦ୍ ପଡିଛି।

ଏସିଆ କପ୍‌ର ସୁପର-୪ରେ ନିରାଶଜନକ ପ୍ରଦର୍ଶନ ଉପରେ ପ୍ରତିକ୍ରିୟା ରଖି ଦ୍ରାବିଡ କହିଛନ୍ତି, ଟି-୨୦ ହେଉଛି ସବୁଠୁ ଛୋଟ ଫର୍ମାଟର ଖେଳ। କଠିନ ପରିସ୍ଥିତି ସତ୍ଵେ ଆମେ ମ୍ୟାଚ୍‌କୁ ଶେଷ ଓଭର ପର୍ଯ୍ୟନ୍ତ ନେବାରେ ସଫଳ ରହିଛୁ। ମ୍ୟାଚ୍‌ରେ ଜିତ୍ ଏବଂ ହାର ରହିଛି। ତଥାପି ଆମକୁ ନିଜର ତ୍ରୁଟି ସୁଧାରିବା ଉପରେ କାମ କରିବା ଉଚିତ୍। କେବଳ ଗୋଟିଏ ଦୁଇଟି ମ୍ୟାଚ୍ ହାରିଗଲେ ଦଳକୁ ଖରାପ କୁହାଯାଇ ପାରିବ ନାହିଁ ବୋଲି ଦ୍ରାବିଡ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭାରତୀୟ ଦଳ ଗୁରୁବାର ଆଫଗାନିସ୍ତାନ ବିପକ୍ଷରେ ବିଶାଳ ବିଜୟ ସହ ଏସିଆ କପ୍‌ ୨୦୨୨ରେ ନିଜର ଅଭିଯାନ ଶେଷ କରିଛି। ଏହି ମ୍ୟାଚ୍‌ରେ ଦଳ ତାରକା ବ୍ୟାଟସମ୍ୟାନ ବିରାଟ କୋହଲି ମାତ୍ର ୬୧ଟି ବଲ୍‌ରୁ ଅପରାଜିତ ୧୨୨ ରନର ବିସ୍ପୋରକ ଶତକୀୟ ଇନିଂସ ଖେଳିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ବିରାଟ କୋହଲିଙ୍କ ଏହା ୭୧ତମ ଶତକ। କେଏଲ ରାହୁଲ ମଧ୍ୟ ୪୦ ବଲ୍‌ ରୁ ୬୨ ରନର ଭଲ ଇନିଂସ ଖେଳିଛନ୍ତି। ଏହି ମ୍ୟାଚ୍‌ରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିଲା।

Related Posts