ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ପାଇଁ ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଆବେଦନକୁ ଖାରଜ କରିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ ଆବେଦନରେ ଉଠାଯାଇଥିବା ପ୍ରସଙ୍ଗକୁ ବିଚାର କରିବା ପାଇଁ ସଠିକ୍‌ ଫୋରମ୍‌ ହେଉଛି ସଂସଦ; ଅଦାଲତ ନୁହେଁ।

ସଂସ୍କୃତକୁ ଭାରତର ଜାତୀୟ ଭାଷା ରୂପେ ଘୋଷଣା କରିବା ବିତର୍କର ଆବଶ୍ୟକତା ରଖେ। ଏହା ଉପରେ ବିତର୍କ କରିବାର ସଠିକ୍‌ ଫୋରମ୍‌ ହେଉଛି ସଂସଦ। କାରଣ, ଏହା ସମ୍ବିଧାନରେ ସଂଶୋଧନ ଆବଶ୍ୟକ କରେ। ଏବଂ ଏହା ଏକ ନୀତିଗତ ବିଷୟ ଯାହାକୁ ଆମେ ପରିବର୍ତ୍ତନ କରିପାରିବୁ ନାହିଁ ବୋଲି ସର୍ବୋଚ୍ଚ ଅଦାଲତ କହିବା ସହ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କରି ଦେଇଛନ୍ତି। ତେବେ, ଆବେଦନକାରୀ ଯଦି ଚାହାନ୍ତି ତେବେ ଏଥିପାଇଁ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗୁଜୁରାଟ ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ କେଜି ଭାଞ୍ଜାରା ଏହି ପିଆଇଏଲ ଆଗତ କରିଥିଲେ। ହିନ୍ଦିକୁ ସରକାରୀ ଭାଷା ଭାବରେ ଜାରି ରଖିବା ବେଳେ ସଂସ୍କୃତକୁ ଜାତୀୟ ଭାଷା ଭାବରେ ସୂଚିତ କରିବା ପାଇଁ ସେ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ।