ଆସନ୍ତା ୨ ସପ୍ତାହରେ ଆସୁଛି ୨ଟି ଲଘୁଚାପ, ୫ ତାରିଖରୁ ରାଜ୍ୟରେ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଆସୁଛି ଦୁଇଟି ଲଘୁଚାପ। ଏଥିମଧ୍ୟରୁ ଚଳିତ ମାସ ପ୍ରଥମ ସପ୍ତାହ ଅର୍ଥାତ ସେପ୍ଟେମ୍ବର ୨ରୁ ୮ ତାରିଖ ମଧ୍ୟରେ ପ୍ରଥମ ଲଘୁଚାପ ଓ ଦ୍ଵିତୀୟଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବ। ଏହାର ପ୍ରଭାବରେ ଆସନ୍ତା ୫ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଜୁନ ୧ରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ସମଗ୍ର ରାଜ୍ୟରେ ୬% ଅଧିକ ବର୍ଷା ହୋଇଛି। ଏହି ସମୟରେ ୬ଟି ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ଏବଂ ୨୪ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି। ବର୍ତ୍ତମାନ ମୌସୁମୀ ନିମ୍ନଚାପ ରେଖା କ୍ରମଶଃ ଦକ୍ଷିଣମୁଁହା ହେଉଛି।

ଅନ୍ୟପକ୍ଷରେ ବର୍ତ୍ତମାନ ୧୩ ସହରର ତାପମାତ୍ରା ୩୫ ଡିଗ୍ରୀ ରୁ ଅଧିକ ରହୁଛି। ଆର୍ଦ୍ରତା ୬୫%ରୁ ଅଧିକ ରହୁଛି। ଏହାଫଳରେ ଗରମ ଓ ଗୁଳୁଗୁଳି ଲାଗି ରହୁଛି। ଆହୁରି ୩ ଦିନ ଏହି ସ୍ଥିତି ଲାଗି ରହିବ।

Related Posts